-
ବନ୍ଦର ଗୁଡିକୁ ବିପଦ ସଂକେତ ଜାରି
ଭୁବନେଶ୍ୱର , ଓଡ଼ିଶାରେ ବାତ୍ୟା ସିତ୍ରାଙ୍ଗର ବିଶେଷ ପ୍ରଭାବ ପଡ଼ିବ ନାହିଁ । ବର୍ଷାର ମଧ୍ୟ ବିଶେଷ ପ୍ରଭାବ ନାହିଁ । ୨୪ରେ ସାମାନ୍ୟ ପ୍ରଭାବ ରହିବ ବୋଲି ଅନୁମାନ କରାଯାଉଛି ।ଗତକାଲିର ଅବପାତ ଆଜି ସକାଳେ ଗଭୀର ଅବପାତରେ ପରିଣତ ହୋଇଛି । ଗତ ୬ ଘଂଟା ଭିତରେ ଉତର ପଶ୍ଚିମ ଦିଗରେ ଘଂଟା ପ୍ରତି ୨୦ କିମି ବେଗରେ ବାତ୍ୟା ଗତି କରୁଛି । ଏହାର ପ୍ରଭାବରେ ଆଜି ରାତିରୁ ଉପକୂଳରେ ବର୍ଷା
ହୋଇପାରେ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତାକାଲି ଦୀପାବଳିରେ ଉପକୂଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଉତର-ଉପକୂଳରେ ସାମାନ୍ୟ ଅଧିକ ପ୍ରଭାବ ରହିବ । ରାଜ୍ୟର ସମସ୍ତ ସାମୁଦ୍ରିକ ବନ୍ଦର ଗୋପାଳପୁର, ପାରାଦ୍ୱୀପ, ପୁରୀ ଏବଂ ଧାମରା ବନ୍ଦର ପାଇଁ ବିପଦ ସଂକେତ-୩ ଜାରି କରାଯାଇଛି ।
ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆଖପାଖ ଅଂଚଳରେ ଏହା ସକ୍ରିୟ ଅଛି । ଆଗାମୀ ୧୨ ଘଂଟାରେ ଏହା ଆହୁରି ଘନୀଭୂତ ହେବ ଓ ବାତ୍ୟାର ରୂପ ନେବାର ସମ୍ଭାବନା ରହୁଛି । ଆଗାମୀ ୧୨ ଘଂଟା ପର୍ଯ୍ୟନ୍ତ ଏହା ଉତର ପଶ୍ଚିମ ଦିଗରେ ରହିବା ନେଇ ଅନୁମାନ କରାଯାଉଛି ।ବାତ୍ୟାରେ ପରିଣତ ହେବା ପରେ ଗତିର ଦିଗ ପରିବର୍ତନ ହେବ ।ଉତର ପୂର୍ବ ଦିଗରେ ୨୫ ସକାଳ ପର୍ଯ୍ୟନ୍ତ ଗତି କରିବ ।
ପାଣିପାଗ ବିଜ୍ଞାନୀ ଭବାନୀ ଶଙ୍କର ଦାସ କହିଛନ୍ତି, ବର୍ତମାନ ଓଡ଼ିଶା ପାଖରୁ ପାଖାପାଖି ୫୦୦ କିମି ଦୂରରେ ଅଛି । ଗତିପଥ ପରିବର୍ତନ କଲା ପରେ ଓଡ଼ିଶା ଉପକୂଳରୁ ୨୦୦ରୁ ୨୫୦ କିମି ଦୂରରେ ରହିବ । ଉପକୂଳବର୍ତୀ ଜିଲ୍ଲାରେ ଏହା ବିଶେଷ ପ୍ରଭାବ ପକାଇବ । ଆଜି ଦିନତମାମ ଉପକୂଳ ଓଡ଼ିଶାରେ ଆକାଶ ମେଘୁଆ ରହିବ । ଆସନ୍ତାକାଲି ପୁରୀ, କେନ୍ଦ୍ରାପଡ଼ା, ବାଲେଶ୍ୱର, କଟକ, ଯାଜପୁର, ଭଦ୍ରକ ଓ ଜଗତସିଂହପୁରରେ ପ୍ରବଳ ବର୍ଷାର ସମ୍ଭାବନା ଅଛି । ୨୫ ତାରିଖ ପରଠାରୁ ବର୍ଷାର ପ୍ରଭାବ କମିବ । ଆଜିଠାରୁ ଉପକୂଳ ଓଡ଼ିଶାରେ ପବନର ଘଂଟା ପ୍ରତି ବେଗ ୩୫ରୁ ୪୫ କିମି ରହିବ । ସର୍ବାଧିକ ୫୫ କିମି ଯାଏଁ ପବନର ବେଗ ଯିବ । ଆସନ୍ତାକାଲି ପବନର ବେଗ ଘଂଟା ପ୍ରତି ସର୍ବାଧିକ ୬୫ କିମି ରହିବା ସମ୍ଭାବନା ଅଛି । ଏହି କାରଣରୁ ୨୫ ତାରିଖ ଯାଏଁ ମସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।