-
ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ଦେଶରେ ନିଯୁକ୍ତି ଦୃଶ୍ୟପଟ୍ଟକୁ ମଜବୁତ୍ କରିବ – ଧର୍ମେନ୍ଦ୍ର ପ୍ରଧାନ
-
ଭୁବନେଶ୍ୱରରେ ରାଜ୍ୟର ୨୩୯ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ଦେଲେ କେନ୍ଦ୍ରମନ୍ତ୍ରୀ
-
ଡାକ, ଶିକ୍ଷା, ଅର୍ଥ, ଗୃହ, ଜଳ ସମ୍ପଦ, ଖଣି ଓ ଶ୍ରମ ବିଭାଗରେ ନିଯୁକ୍ତିଧାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ
-
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ଯୁବପିଢିଙ୍କୁ ରୋଜଗାର ଦେଇ ଆତ୍ମନିର୍ଭର କରିବାର ନୂଆ ଯୁଗ ଆରମ୍ଭ ହୋଇଛି
-
ଦେଶରେ ଯୁବପିଢିଙ୍କୁ ରୋଜଗାର ଦେଇ ଆତ୍ମନିର୍ଭର କରିବାର ନୂଆ ଯୁଗ ଆରମ୍ଭ
-
ଯୁବପିଢ଼ିଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ସକରାତ୍ମକ ଭାବନା ଜାଗ୍ରତ କରିବ
-
ସମାଜକୁ ସମ୍ପନ୍ନ ଓ ଆତ୍ମନିର୍ଭର କରିବା ମୋଦି ସରକାର ଲକ୍ଷ୍ୟ
-
ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ପଦକ୍ଷେପ ଦେଶର ଅର୍ଥନୀତିକୁ ମଜଭୂତ୍ କରିଛି
-
ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା, ମୂଲ୍ୟବୋଧ ଓ ଜୀବନ ପ୍ରବାହ ବିଶ୍ୱରେ ସର୍ବାଗ୍ରେ ରହିଛି
-
ଭାରତୀୟ ମଡେଲକୁ ସାରା ବିଶ୍ୱ ଆଜି ଅନୁସରଣ କରୁଛି
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ‘ରୋଜଗାର ମେଳା’ର ଶୁଭରମ୍ଭ ଅବସରରେ ଭୁବନେଶ୍ୱର ସ୍ଥିତ ରେଳ ଅଡ଼ିଟୋରିୟମ ଠାରେ ଉପସ୍ଥିତ ରହି ରାଜ୍ୟର ୨୩୯ ଜଣ ନୂତନ ନିଯୁକ୍ତିଧାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଡାକ, ଶିକ୍ଷା, ଅର୍ଥ, ଗୃହ, ଜଳ ସମ୍ପଦ, ଖଣି ଓ ଶ୍ରମ ବିଭାଗରେ ନିଯୁକ୍ତିଧାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି । ଡାକ ବିଭାଗରେ ୮୯, ଆଇଆଇଟି ଭୁବନେଶ୍ୱରରେ ୬୧, ଆୟକର ବିଭାଗରେ ୧୫, ଇଏସଆଇସିରେ ୨୭, ବ୍ୟାଙ୍କିଂରେ ୨୧, ସିଆରପିଏଫରେ ୫, ସିଡବ୍ଲୁସିରେ ୩ ଏବଂ ବିଏସଏଫ, ସିଜିଡବ୍ଲୁବି ଓ ଭୂତତ୍ତ୍ୱ ବିଭାଗରେ ଜଣେ ଲେଖାଏଁ ନିଯୁକ୍ତିଧାରୀଙ୍କୁ ନିଯୁକ୍ତ ପତ୍ର ବଣ୍ଟନ କରାଯାଇଛି । ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗରେ ଏହି ସବୁ ସ୍ଥାୟୀ ନିଯୁକ୍ତି ପାଇଥିବା ନିଯୁକ୍ତିଧାରୀଙ୍କୁ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇବା ସହ ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶା ତରଫରୁ କୃତଜ୍ଞତା ଜଣାଇଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଦେଶ ସ୍ୱାଧୀନତାର ୭୫ ବର୍ଷ ଯାତ୍ରା ଅବସରରେ ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦେଶର ୫୦ଟି ସ୍ଥାନରେ ୭୫,୦୦୦ ଯୁବପିଢିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ପରବର୍ତ୍ତୀ ଏକ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଏଭଳି ୭୫,୦୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ । ଏଭଳି ମୋଟ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ । ପୂର୍ବରୁ ମୋଦି ସରକାରର ଆଠ ବର୍ଷରେ ଲକ୍ଷାଧିକ ନିଯୁକ୍ତି ଦିଆଯାଇଛି । ଯୁବକମାନଙ୍କୁ ଚାକିରି ସୁଯୋଗ ଦେବା ଦିଗରେ ପ୍ରଧାନମନ୍ତ୍ରୀ ପଦକ୍ଷେପ ଦେଶରେ ନିଯୁକ୍ତି ଦୃଶ୍ୟପଟ୍ଟକୁ ମଜବୁତ୍ କରିବା ସହ ଯୁବପିଢ଼ିଙ୍କ ମଧ୍ୟରେ ନୂଆ ଉତ୍ସାହ ଓ ସକରାତ୍ମକ ଭାବନା ଜାଗ୍ରତ କରିବ ।
ଆଗାମୀ ଦିନ ମାନଙ୍କରେ ରୋଜଗାର ମେଳା ଉତ୍ତମ ଭବିଷ୍ୟତ ପାଇଁ ଯୁବସମାଜକୁ ସମର୍ଥ କରିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶରେ ଯୁବପିଢିଙ୍କୁ ରୋଜଗାର ଦେଇ ଆତ୍ମନିର୍ଭର କରିବାର ନୂଆ ଯୁଗ ଆରମ୍ଭ ହୋଇଛି । ୨୦୧୪ରେ ଦେଶର ଅର୍ଥନୀତି ଏକ ଘଡ଼ିସନ୍ଧି ମୂହୂର୍ତ୍ତ ଦେଇ ଗତି କରୁଥିବା ବେଳେ ଯୁବକ ଯୁବତୀ ମାନଙ୍କୁ ରୋଜଗାର ଦେବା ପ୍ରମୁଖ ପ୍ରସଙ୍ଗ ଥିଲା । ମାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଏବେ ଯୁବପିଢିଙ୍କୁ ରୋଜଗାର ଦେଇ ସେମାନଙ୍କୁ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭର କରିବା ଦିଗରେ ନୂଆ ଯୁଗ ଆରମ୍ଭ ହୋଇଛି । ଦେଶରେ କଳାବାଦଲର ଅନ୍ଧକାର ଦୂର ହୋଇଛି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମରେ ସମାଜକୁ ସମ୍ପନ୍ନ ଓ ଆତ୍ମନିର୍ଭର କରିବା, ଜନଧନ ଯୋଜନାରେ ବ୍ୟାଙ୍କ ଖାତା ଖୋଲିବା, ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ରୋଜଗାର ଦେଇ ଲୋକଙ୍କ ଜୀବନଶୈଳିକୁ ପରିବର୍ତ୍ତନ କରିବା ମୋଦି ସରକାରଙ୍କ ଗୁରୁ ଦାୟିତ୍ୱ ହୋଇଛି । ଆତ୍ମନିର୍ଭର ପ୍ୟାକେଜ ମାଧ୍ୟମରେ ଶିଳ୍ପ କ୍ଷେତ୍ରକୁ ପ୍ରୋତ୍ସାହନ, ଦେଶରେ ଟେକ୍ନୋଲୋଜିକୁ ଗୁରୁତ୍ୱ, ୫ଜି ସେବା ଆରମ୍ଭ, ଡିଜିଟାଲ କାରବାର ,ସିଧାସଳଖ ବ୍ୟାଙ୍କ୍ ଆକାଉଣ୍ଟକୁ ଟଙ୍କା ହସ୍ତାନ୍ତରଣ ଦେଶର ଅର୍ଥନୀତିକୁ ଗତିଶୀଳ କରିବାରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସ୍ୱଦେଶୀ କୋଭିଡ୍ ଟିକା ଉତ୍ପାଦାନ କରି ଦେଶ ଆତ୍ମନିର୍ଭର ହୋଇଛି ।
ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ବଳରେ ଭାରତର ସାମରିକ ଶକ୍ତି ସଶକ୍ତ ହେବା ସହ ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଛି । ଦେଶବାସୀକୁ ସ୍ୱାବଲମ୍ବୀ କରିବାରେ ମୋଦି ସରକାର ନିରନ୍ତର କଠିନ ପରିଶ୍ରମ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସମାଜର ଅନ୍ତିମ ଶ୍ରେଣୀରେ ଥିବା ନାଗରିକଙ୍କ ଜୀବନରେ ମୌଳିକ ପରିବର୍ତ୍ତନ ଆଣିବା ପାଇଁ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଛି । ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥା, ମୂଲ୍ୟବୋଧ ଓ ଜୀବନ ପ୍ରବାହ ବିଶ୍ୱରେ ସର୍ବାଗ୍ରେ ରହିଛି । ଭାରତୀୟ ମଡେଲକୁ ସାରା ବିଶ୍ୱ ଆଜି ଅନୁସରଣ କରୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।