ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡର ମାନା ଠାରେ ୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡ଼କ ଏବଂ ରୋପୱେ ପ୍ରକଳ୍ପ ଗୁଡିକର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ପୂର୍ବରୁ, ପ୍ରଧାନମନ୍ତ୍ରୀ କେଦାରନାଥ ପରିଦର୍ଶନ କରି ଶ୍ରୀ କେଦାରନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିଥିଲେ । ସେ ଆଦି ଗୁରୁ ଶଙ୍କରାଚାର୍ଯ୍ୟଙ୍କର ସମାଧି ସ୍ଥଳକୁ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ମନ୍ଦାକିନୀ ଅଷ୍ଟପଥ ଏବଂ ସରସ୍ୱତୀ ଅଷ୍ଟପଥରେ ଚାଲିଥିବା କାର୍ଯ୍ୟର ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ବଦ୍ରିନାଥ ପରିଦର୍ଶନ କରି ଶ୍ରୀ ବଦ୍ରିନାଥ ମନ୍ଦିରରେ ଠାକୁର ଦର୍ଶନ ଏବଂ ପୂଜା କରିଥିଲେ । ଏହା ପରେ ସେ ଅଳକାନନ୍ଦା ନଦୀ କୂଳରେ ଚାଲିଥିବା କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ ।
ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ଧର୍ମପୀଠରେ ଦର୍ଶନ ଏବଂ ପୂଜା କରିବା ପରେ ନିଜର ଖୁସିକୁ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, “ମୋ ଜୀବନ ଆଶୀର୍ବାଦ ପ୍ରାପ୍ତ ହେଲା, ମନ ଖୁସି ହେଲା ଏବଂ ଏହି ମୂହୁର୍ତ୍ତ ଗୁଡ଼ିକ ଜୀବନ୍ତ ହେଲା” । ତାଙ୍କର ପୂର୍ବ ଗସ୍ତ ସମୟରେ ସେ କହିଥିବା ଶବ୍ଦକୁ ମନେ ପକାଇ ଏହି ଦଶନ୍ଧି ଉତ୍ତରାଖଣ୍ଡର ହେବ, ପୁଣି ଥରେ ଏହାକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି, ବାବା କେଦାର ଏବଂ ବଦ୍ରି ବିଶାଳ ସେହି ଶବ୍ଦ ଗୁଡ଼ିକୁ ଆଶୀର୍ବାଦ ଦେବେ । ସେ କହିଥିଲେ ଯେ, “ ଏହି ନୂତନ ପ୍ରକଳ୍ପ ଗୁଡ଼ିକ ସହିତ ସମାନ ସଂକଳ୍ପକୁ ଦୋହରାଇବା ପାଇଁ ମୁଁ ଆଜି ଆପଣଙ୍କ ମଧ୍ୟରେ ଅଛି ।”
କେଦାରନାଥ ଠାରେ ଥିବା ରୋପୱେର ଦୈର୍ଘ୍ୟ ପ୍ରାୟ ୯.୭ କିଲୋମିଟର ହେବ ଏବଂ ଗୌରୀକୁଣ୍ଡକୁ କେଦାରନାଥ ସହିତ ସଂଯୋଗ କରିବ, ଯାହା ଦ୍ୱାରା ଦୁଇ ସ୍ଥାନ ମଧ୍ୟରେ ଯାତ୍ରା ସମୟ ବର୍ତ୍ତମାନ ୬-୭ ଘଂଟା ରହିଥିବା ବେଳେ ତାହା ମାତ୍ର ୩୦ ମିନିଟକୁ ହ୍ରାସ ପାଇବ । ହେମକୁଣ୍ଡ ରୋପୱେ ଗୋବିନ୍ଦଘାଟକୁ ହେମକୁଣ୍ଡ ସାହିବ ସହିତ ସଂଯୋଗ କରିବ । ଏହାର ଲମ୍ବ ପ୍ରାୟ ୧୨.୪ କିଲୋମିଟର ହେବ ଏବଂ ଯାତ୍ରା ସମୟ ଏବେ ଏକ ଦିନରୁ ଅଧିକ ରହିଥିବା ବେଳେ ତାହା ପ୍ରାୟ ୪୫ ମିନିଟ୍ ହେବ । ଏହି ରୋପୱେ ଫୁଲ ଜାତୀୟ ଉଦ୍ୟାନର ପ୍ରବେଶ ଦ୍ୱାର ଘାଙ୍ଗାରିଆକୁ ମଧ୍ୟ ସଂଯୋଗ କରିବ ।
ପାଖାପାଖି ୨୪୩୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଥିବା ଏହି ରୋପୱେ ଗୁଡିକ ଏକ ପରିବେଶ ଅନୁକୂଳ ପରିବହନ ହେବ ଯାହା ଯାତ୍ରାକୁ ନିରାପଦ, ସୁରକ୍ଷିତ ଏବଂ ସ୍ଥିର କରିବ । ଏହି ପ୍ରମୁଖ ଭିତ୍ତିଭୂମି ବିକାଶ ଧାର୍ମିକ ପର୍ଯ୍ୟଟନକୁ ବୃଦ୍ଧି କରିବ, ଯାହା ଦ୍ୱାରା ଏହି ଅଂଚଳର ଅର୍ଥନୈତିକ ବିକାଶକୁ ଏକ ପୂର୍ଣ୍ଣତା ମିଳିବ ଏବଂ ଏକାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇ ପାରିବ ।
ଏହି ଗସ୍ତ ସମୟରେ ପ୍ରାୟ ୧୦୦୦ କୋଟି ଟଙ୍କା ମୂଲ୍ୟର ରାସ୍ତା ପ୍ରଶସ୍ତ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ । ଦୁଇଟି ସଡକ ପ୍ରଶସ୍ତିକରଣ ପ୍ରକଳ୍ପ – ମାନା ଠାରୁ ମାନା ପାସ୍ ପର୍ଯ୍ୟନ୍ତ (ଏନ୍ଏଚ୍ ୦୭) ଏବଂ ଯୋଶୀମଠ ଠାରୁ ମଲାରୀ ପର୍ଯ୍ୟନ୍ତ (ଏନ୍ଏଚ୍ ୧୦୭ବି) – ଆମର ସୀମା ଅଂଚଳକୁ ଶେଷ ମାଇଲ୍ ସବୁ ଋତୁରେ ସଡ଼କ ସଂଯୋଗ ଯୋଗାଇବା ଦିଗରେ ଆଉ ଏକ ପଦକ୍ଷେପ ହେବ । ସଂଯୋଗୀକରଣ ବୃଦ୍ଧି ବ୍ୟତୀତ, ଏହି ପ୍ରକଳ୍ପ ଗୁଡ଼ିକ ମଧ୍ୟ ରଣନୀତିକ ଦୃଷ୍ଟିକୋଣରୁ ଲାଭଦାୟକ ପ୍ରମାଣିତ ହେବ ।