
ନୂଆଦିଲ୍ଲୀ, ଜାତୀୟ ବିପର୍ଯ୍ୟୟ ପ୍ରଶମନ ସମିତି (ଏନସିଏମସି) ବୈଠକରେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କରାଯାଇଛି । କେନ୍ଦ୍ର କ୍ୟାବିନେଟ ସଚିବ ଶ୍ରୀ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ଏଜେନ୍ସି ସମେତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।
ଏହି ବୈଠକରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ସମୁଦ୍ରରେ ବର୍ତ୍ତମାନର ପାଣିପାଗ ସ୍ଥିତି ବିଷୟରେ ସୂଚନା ଦେଇ କହିଥିଲେ ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଧୀରେ ଧୀରେ ଉତ୍ତର ଦିଗକୁ ଗତି କରିବ । ୨୪ ଅକ୍ଟୋବରରେ ଏହା ଏକ ସାମୁଦ୍ରିକ ଝଡ଼ରେ ପରିଣତ ହେବ । ପରେ ଏହା ଉତ୍ତର ପୂର୍ବ ଦିଗକୁ ଗତି କରିବ ଏବଂ ୨୫ ଅକ୍ଟୋବରରେ ଉପକୂଳ ଓଡ଼ିଶା ପାଖ ଦେଇ ପଶ୍ଚିମବଙ୍ଗ-ବାଂଲାଦେଶରେ ଉପକୂଳରେ ପହଞ୍ଚିବ । ୨୫ ଅକ୍ଟୋବର ମଧ୍ୟରାତ୍ରୀ ବେଳକୁ ଏହା ବାଂଲାଦେଶ ଏବଂ ନିକଟବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ।
ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଆଣ୍ଡାମାନ ନିକୋବାର ଦ୍ବୀପସମୂହର ମୁଖ୍ୟ ଶାସନ ସଚିବ ଏବଂ ଆନ୍ଧ୍ର ପ୍ରଦେଶର ସ୍ବତନ୍ତ୍ର ମୁଖ୍ୟ ଶାସନ ସଚିବ ବାତ୍ୟାର ଆନୁମାନିକ ପଥରେ ପ୍ରଭାବିତ ହେବାକୁ ଥିବା କ୍ଷେତ୍ରର ଲୋକମାନଙ୍କୁ ସୁରକ୍ଷିତ ରଖିବା ଲାଗି ଗ୍ରହଣ କରାଯାଉଥିବା ପଦକ୍ଷେପ ଏବଂ ସ୍ଥାନୀୟ ପ୍ରଶାସନ ଦ୍ବାରା ନିଆଯାଇଥିବା ସତର୍କତାମୂଳକ ପଦକ୍ଷେପ ଓ ପ୍ରସ୍ତୁତି ସମ୍ପର୍କରେ ଏନସିଏମଏସିକୁ ସୂଚନା ଦେଇଥିଲେ । ସେମାନେ କହିଥିଲେ ଯେ ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ଯଥାଶୀଘ୍ର ଉପକୂଳକୁ ଫେରି ଆସିବା ଲାଗି ଚେତାଇ ଦିଆଯିବା ସହିତ ଅନ୍ୟମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ଲାଗି ସତର୍କ କରାଇ ଦିଆଯାଇଛି ।
ବୈଠକରେ ସୂଚନା ଦିଆଯାଇଥିଲା ଯେ ରାଜ୍ୟମାନଙ୍କରେ ଏନଡିଆରଏଫ ଦଳକୁ ପ୍ରସ୍ତୁତ ରଖାଯାଇଛି ଏବଂ ଅତିରିକ୍ତ ଦଳକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ସ୍ଥଳସେନା ଓ ନୌସେନାର ଉଦ୍ଧାର ଏବଂ ସହାୟତା ଦଳକୁ ଜାହାଜ ଓ ବିମାନ ସହିତ ପ୍ରସ୍ତୁତ ରଖାଯାଇଛି ।
ରାଜ୍ୟ ଏବଂ କେନ୍ଦ୍ରୀୟ ଏଜେନ୍ସିମାନଙ୍କର ପ୍ରସ୍ତୁତି ସମୀକ୍ଷା କରି ଶ୍ରୀ ରାଜୀବ ଗୌବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାର ଏବଂ ସମ୍ପୃକ୍ତ କେନ୍ଦ୍ର ସରକାରଙ୍କ ଏଜେନ୍ସିଗୁଡ଼ିକ ଦ୍ବାରା ସତର୍କତାମୂଳକ ଏବଂ ନିରାକରଣଯୋଗ୍ୟ ପଦକ୍ଷେପ ସୁନିଶ୍ଚିତ କରିବା ଉପରେ ଜୋର ଦେଇଥିଲେ । ବିପର୍ଯ୍ୟୟ ସମୟରେ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ରକ୍ଷା ପ୍ରତି ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି କ୍ୟାବିନେଟ ସଚିବ କହିଥିଲେ । ଶକ୍ତି ଓ ଦୂରସଞ୍ଚାର ଭଳି ଭିତ୍ତିଭୂମି ଓ ସମ୍ପତ୍ତି ହାନିକୁ ସର୍ବନିମ୍ନ ସ୍ତରରେ ରଖିବା ଏବଂ ଭିତ୍ତିଭୂମି କ୍ଷତିଗ୍ରସ୍ତ ହେବା କ୍ଷେତ୍ରରେ ଯଥାସମ୍ଭବ କମ ସମୟ ମଧ୍ୟରେ ମରାମତି କରିବା ଲାଗି ସେ ପରାମର୍ଶ ଦେଇଥିଲେ ।