ଭୁବନେଶ୍ୱର, ” ଆଜାଦି କା ଅମୃତ ମହୋତ୍ସବ ” କାର୍ଯ୍ୟକ୍ରମର ଅଂଶ ବିଶେଷ ଭାବେ “ରୋଜଗାର ମିଶନ” ସର୍ବ ଭାରତୀୟ ସ୍ତରରେ ପ୍ରାରମ୍ଭ ହେବାକୁ ଯାଉଛି । ଏହି ମିଶନ ଯୋଗୁଁ ଦେଶରେ ପ୍ରାୟ ଦଶ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହୋଇଛି , ଯାହା ପର୍ଯ୍ୟାୟ କ୍ରମେ ଏହି ମିଶନ ମାଧ୍ୟମରେ ପୂରଣ ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରୁଛନ୍ତି । ଏହି ମିଶନକୁ ଲୋକାଭିମୁଖୀ କରିବା ପାଇଁ ଶନିବାର ପ୍ରଥମ “ରୋଜଗାର ମେଳା” ଅନୁଷ୍ଠିତ ହେବ । ଏହି ମିଶନର ପ୍ରଥମ ପର୍ଯ୍ୟାୟ ରୋଜଗାର ମେଳାରେ ପ୍ରାୟ ୭୫ ହଜାର ଯୁବ ବର୍ଗଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ।
ଓଡ଼ିଶା ଡାକ ପରିମଣ୍ଡଳ ସଂଯୋଜନାରେ ‘ରାଜ୍ୟସ୍ତରୀୟ ରୋଜଗାର ମେଳା’ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ କୁଞ୍ଜ ସନ୍ନିକଟ ରେଳ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଡାକ ବିଭାଗ ସମେତ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାନ ଓ ବିଭାଗ ଯଥା ଆଇ.ଆଇ.ଟି. ଭୁବନେଶ୍ୱର, କେନ୍ଦ୍ରୀୟ ସୁରକ୍ଷା ବଳ, ଆୟକର ବିଭାଗ, କେନ୍ଦ୍ରୀୟ ଅବକାରୀ ବିଭାଗ, ଏସ.ଏଲ.ବି.ସି. , ଇ.ଏସ.ଆଇ., କେନ୍ଦ୍ରୀୟ ଭୂତଳ ଜଳ ବିଭାଗ, ସୀମା ସୁରକ୍ଷା ବଳ, ଭାରତୀୟ ରେଳବାଇ ଆଦି ବିଭାଗ ସାମିଲ ହୋଇଛନ୍ତି । ଏହି ରୋଜଗାର ମେଳାରେ କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ ଏବଂ ଅନ୍ୟ ଅତିଥି ବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ସ୍ତରୀୟ ଏହି ଉତ୍ସବରେ ବିଭିନ୍ନ ବିଭାଗର ପ୍ରାୟ ଦୁଇଶହ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବିତରଣ କରାଯିବ ।