ବଲାଙ୍ଗିର,ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଗତକାଲି ବେଆଇନ ଦାଦନ ଚାଲାଣ ଉପରେ ଚଢଉ କରି ଦୁଇଟି ସ୍ଥାନରୁ ୧୨ ଶିଶୁ ସମେତ ୨୦ ଜଣ ଦାଦନ ଶ୍ରମିକ ଉଦ୍ଧାର କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଖପ୍ରାଖୋଲ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଭୋର ସମୟରେ ଗମ୍ଭାରୀ ଛକ ନିକଟରେ ଏକ ବୋଲେରୋ ଗାଡ଼ିରେ ଶ୍ରମିକମାନଙ୍କୁ ନିଆଯାଉଥିବା ଦେଖିବାକୁ ପାଇଥିଲା। ଚଢଉ କରି ୩ ମହିଳା, ୩ ପୁରୁଷ ସହ ଚାରି ଜଣ ଶିଶୁଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଆଣିଥିବା ବେଳେ ବୋଲେରୋ ଗାଡ଼ି ଜବତ କରି ଦାଦନ ସର୍ଦ୍ଦାର ଟଙ୍କଧର ପଟେଲକୁ ଗିରଫ କରିଛି । ଉଦ୍ଧାର ଶ୍ରମିକମାନେ ଓଡ଼ିଆପାଲି ପଞ୍ଚାୟତ ବୁଢ଼ିବାହାଲ୍ ଗାଁର ବୋଲି ଜଣାପଡିଛି ।
ସେହିପରି ଭେଲୁଆଖୋଲ୍ ଗାଁ ନିକଟରେ ଏକ ଯାତ୍ରୀବାହୀ ବସରେ ଚଢଉ କରି ପୋଲିସ ୮ ଜଣ ଶିଶୁ ସହ ୭ ଜଣ ମହିଳା ଓ ୭ ଜଣ ପୁରୁଷଙ୍କୁ ପୋଲିସ ଉଦ୍ଧାର କରିଥିବା ଜଣାଯାଇଛି । ଉଦ୍ଧାର ଶ୍ରମିକ ମାନେ ବରଗଡ଼ ଜିଲ୍ଲା ବୁଡେନ୍ ଥାନା ରଜବାହାଦୂରପୁରର ବୋଲି ଜଣାପଡିଛି । ଏମାନଙ୍କୁ ଚାଲାଣ କରୁଥିବା ଦାଦନ ସର୍ଦ୍ଦାର ଦୟାନନ୍ଦ ସାହୁଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ପଠାଇ ଥିବା ଜଣାପଡିଛି । ଦୁଇଟି ଯାକ ବେଆଇନ ଦାଦନ ଚାଲାଣ କଣ୍ଟାବାଞ୍ଜି ନିକଟସ୍ଥ ଖୁଟୁଲୁମୁଣ୍ଡାର ଜଣେ ଦାଦନ ସର୍ଦ୍ଦାର ମଧ୍ୟରେ ହେଉଥିବା ବେଳେ ସେଠାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହୋଇଥାନ୍ତେ ବୋଲି ପୋଲିସ ସୂଚନା ଦେଇଛି । ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କୁ ପଚାରିବାରୁ ଏନେଇ କେସ ନଂ ୧୭୨/୨୨ଓ ୧୭୩/୨୨ରେ ଦୁଇଟି ପୃଥକ ମାମଲା ରୁଜୁ କରି ଦୁଇ ଜଣ ଦାଦନ ସର୍ଦ୍ଦାରଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠେଇ ଦିଆଯାଇଛି ବୋଲି କହିଛନ୍ତି ।