ନୂଆଦିଲ୍ଲୀ, ଖାଦ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ସ୍ଥିର ରଖିବା ଲାଗି ଭାରତ ସରକାର ନିରନ୍ତର ଅନୁଧ୍ୟାନ ସହିତ ବିଭିନ୍ନ ନୀତିଗତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି କାରଣରୁ ଦେଶରେ ପିଆଜ ଓ ଡାଲି ଦର ସ୍ଥିର ରହିଛି । କେନ୍ଦ୍ର ସରକାର ଲଗାତାର ଭାବେ ଆମଦାନୀକାରୀ, ଗବେଷଣା ଏଜେନ୍ସି, ବ୍ୟବସାୟିକ ସଂଗଠନ ଆଦି ସହ ଆଲୋଚନା ଜରିଆରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉତ୍ପାଦନ, ଆମଦାନୀ, ରପ୍ତାନି ଏବଂ ଉପଲବ୍ଧତା ଉପରେ ଦୃଷ୍ଟି ରଖି ଆସିଛନ୍ତି । ଗୁରୁବାର ଦିନ ନୂଆଦିଲ୍ଲୀ ଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ସଚିବ ଶ୍ରୀ ରୋହିତ କୁମାର ସିଂ ଏହା କହିଛନ୍ତି ।
ଏଥିପୂର୍ବରୁ ଚଳିତ ସପ୍ତାହରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଏକ ଚାଷୀ ଅନୁକୂଳ ପଦକ୍ଷେପ ଗ୍ରହଣ କରିଥିଲେ । ୨୦୨୩-୨୪ ରବି ବିପଣନ ଋତୁ ପାଇଁ ନିର୍ଦ୍ଧାରିତ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।