
ମାଲକାନଗିରି, ମାଲକାନଗିରି ଜିଲ୍ଲା ପୋଲିସକୁ ପୁଣି ଏକ ବଡ ସଫଳତା ମିଳିଛି । ଦୀର୍ଘ ଦିନ ଅପେକ୍ଷା ପରେ ଚଳିତ ମାସ ୧୯ ତାରିଖ ଦିନ ମାଲକାନଗିରି ଏସଓଜି ଓ ଡିଭିଏଫ ଯବାନ ମାନେ ମାଓ ବିରୋଧୀ ଅଭିଯାନ ନିମନ୍ତେ ତୁଳସୀ ପାହାଡ଼ ଅଭିମୁଖେ କୁମିଙ୍ଗ ଅପରେସନ ଆରମ୍ଭ କରିଥିଲେ । ତୁଳସୀ ପାହାଡ଼ ଅନ୍ତର୍ଗତ କଟୁଆପଦର ଗାଁ ନିକଟ ଜଙ୍ଗଲରେ କୁମିଙ୍ଗ ଅପରେସନ ସମୟରେ ମାଟି ତଳେ ପୋତା ହୋଇଥିବା ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ପାଇଥିଲେ । ଏହି ମାଓ ସାମଗ୍ରୀ ମଧ୍ୟରେ ମାଓ ପୁସ୍ତିକା, ୨ ଟି ବନ୍ଧୁକ, ୬ ଟି ଆଇଡି ବୋମା, କିଛି ଔଷଧ ମଧ୍ୟ ଜବତ ହୋଇଥିଲା । ଏହି ଜବତ ସାମଗ୍ରୀ ମଧ୍ୟରେ ବିପୁଳ ମାତ୍ରାରେ ଗର୍ଭ ନିରୋଧକ ଔଷଧ ମିଳିଥିଲା । ଯାହାକି ମହିଳା ମାଓବାଦୀ ମାନଙ୍କୁ ବଡ ବଡ କ୍ୟାଡର ମାନେ ଅଧିକ ମାତ୍ରାରେ ଶୋଷଣ କରୁଥିବା ଜଣାପଡୁଛି । ମାଲକାନଗିରି ଜିଲ୍ଲାରୁ ଅନେକ ଅଞ୍ଚଳ ମାଓ ମୁକ୍ତ ହୋଇଥିବା ବେଳେ ଅନେକ କ୍ୟାଡର ମାଓବାଦୀ ଆତ୍ମ ସମର୍ପଣ ମଧ୍ୟ କରିଛନ୍ତି । ତେବେ ଯେଉଁ ମାନେ ବର୍ତମାନ ମାଓ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି ସେମାନେ ମାଓବାଦୀ କାର୍ଯ୍ୟକଳାପ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଏସଡିପିଓ ଶୁଭେନ୍ଦୁ ପାତ୍ର ଆହ୍ବାନ ଦେଇଛନ୍ତି ।