-
ଓଡିଶାରେ ୨୩ରୁ ବର୍ଷା
ଭୁବନେଶ୍ୱର ,ଉତର ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି । ଏହା ପଶ୍ଚିମ କେନ୍ଦ୍ରୀୟ ଓ ତତ୍ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ଅକ୍ଟୋବର ୨୪ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ । ବାତ୍ୟାରେ ପରିଣତ ହେବା ପରେ ଏହା ଉତର- ଉତରପୂର୍ବ ଦିଗକୁ ଗତିକରି ୨୫ ବେଳକୁ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ପହଂଚିବ ବୋଲି ଅନୁମାନ କରାଯାଉଛି । ବାତ୍ୟାର ଗତିପଥ ନେଇ ପାଣିପାଗ ବିଭାଗ ଏକ ସମ୍ଭାବ୍ୟ ଟ୍ରାକ୍ ଜାରି କରିଛି ।
ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ କହିଛନ୍ତି ଏହାର ପ୍ରଭାବରେ
ଆଗାମୀ ୨୩ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ଓଡ଼ିଶା ଉପରେ ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ । ତେବେ ୨୪ ଓ ୨୫ ତାରିଖରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସେହିପରି ୨୩ ତାରିଖରେ ପବନର ବେଗ ୩୫ରୁ ୪୫ କିମି ପ୍ରତି ଘଂଟା ବହିପାରେ । ୨୪ ରେ ପବନର ବେଗ ବୃଦ୍ଧି ପାଇ ୪୫ ରୁ ୫୫ ଏବଂ ସ୍ଥାନେ ସ୍ଥାନେ ୬୫ କିମି ପହଂଚିପାରେ । ସମୁଦ୍ର ଅଶାନ୍ତ ରହୁଥିବାରୁ
ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା କରାଯାଇଛି । ସେହିପରି ୨୨ ତାରିଖ ପୂର୍ବରୁ ମତ୍ସ୍ୟଜୀବୀମାନଙ୍କୁ କୂଳକୁ ଫେରିଆସିବାକୁ ପରାମର୍ଶ ଦିଆଯାଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ୨୩ ତାରିଖରେ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
୨୪ ତାରିଖ ବେଳକୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ଏହି ଦିନ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, କଟକ ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା (୭ରୁ ୨୦ ସେମି) ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକୁ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କେନ୍ଦୁଝର, ମୟୁରଭଂଜ, ଯାଜପୁର, ଖୋର୍ଦ୍ଧା , ପୁରୀ ଓ ଗଂଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।