
ଧର୍ମଶାଳା, ଯାଜପୁର ଜିଲା ଧର୍ମଶାଳା ଥାନା ଅଂଚଳରୁ ୧୭ ଗ୍ରାମ ବ୍ରାଉନସୁଗର ଜବତ କରିବା ସହ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗତ କିଛି ଦିନ ହେବ ଏହି ଧଳା ଜହର କାରବାର ଯାଜପୁର ଜିଲାରେ ବୃଦ୍ଧି ପାଇଛି । ପୋଲିସ ପ୍ରଶାସନ ଏହି କାରବାର ଉପରେ ନଜର ରଖିଥିଲା । କୌଣସି ସୂତ୍ରରୁ ଖବର ପାଇ ଯାଜପୁର ଜିଲା ପୋଲିସ ସ୍କ୍ବାର୍ଡ ଓ ଧର୍ମଶାଳା ପୋଲିସ ଚଢଉ କରିଥିଲେ । ଗୁରୁବାର ରାତିରେ ଧର୍ମଶାଳା ଥାନା ଦେଉଳି ପାହାଡ ନିକଟରେ ବ୍ରାଉନସୁଗର କାରବାର ଚାଲିଥିବା ବେଳେ ପୋଲିସ ସେଠାରୁ ୪ ଜଣଙ୍କୁ ଥାନାକୁ ଉଠାଇ ଆଣିଥିଲା । ସେମାନଙ୍କ ନିକଟରୁ ୧୭ ଗ୍ରାମରୁ ଉର୍ଦ୍ଧ ବ୍ରାଉନସୁଗର ଜବତ କରି ତଦନ୍ତ ଚଳାଇଥିଲା । ଏଥି ସହିତ ସେମାନଙ୍କ ନିକଟରୁ ଗୋଟିଏ ବାଇକ୍, ୫ଟି ମୋବାଇଲ ଓ ନଗଦ ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଧର୍ମଶାଳା ଥାନା ଅନ୍ତର୍ଗତ ଚୋରମୁହାଁ ଗ୍ରାମର ଗୋଲଖ ବିହାରୀ ଦତଙ୍କ ପୁଅ ଅରୂପଲାଲ ଓରଫ ଟୁଲୁ (୩୫), ଭଦ୍ରକ ଥାନା ଅନ୍ତର୍ଗତ ବଉଳ ପୋଖରୀ ଗ୍ରାମର ବନ ମଲ୍ଲିକଙ୍କ ପୁଅ ବାପି (୨୦) ଭଦ୍ରକ ଜିଲା ଧୁସୁରୀ ଥାନା ଅନ୍ତର୍ଗତ ନରସିଂହପୁର ଗ୍ରାମର ନରେନ୍ଦ୍ର ଜେନାଙ୍କ ପୁଅ ଫକିର ମୋହନ (୨୯) ଓ ବରପାଡ ଗ୍ରାମର ଗୌରାଙ୍ଗ ମୁଣ୍ଡାଙ୍କ ପୁଅ ଲମ୍ବୁ (୩୦) ବୋଲି ଜଣାପଡିଛି । ଏ ସଂକ୍ରାନ୍ତରେ ଥାନାରେ କେସ୍ ନଂ ୫୭୩/୨୨ରେ ଏକ ମାମଲା ରୁଜୁ ହୋଇଛି ଓ ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ରାକେଶ ତ୍ରିପାଠୀ ସୂଚନା ଦେଇଛନ୍ତି ।