
ନୂଆପଡା – ୨୦୧୮ ର କୃଷିବୀମା ରାଶି ପ୍ରଦାନରେ ପ୍ରଶାସନିକ ଅବହେଳା ଅଭିଯୋଗ କରି ଗତ ଅଗଷ୍ଟ ମାସ ୯ ତାରିଖରେ ଖାସବାହାଲ ଓ ଦୋହେଲପଡା ପଞ୍ଚାୟତର ଚାଷିମାନେ ଖଡିଆଳ-ଭବାନୀପାଟଣା ରାଜ୍ୟ ରାଜପଥ-୧୬କୁ ଅବରୋଧ କରିଥିଲେ । ଜିଲ୍ଲାପାଳ, ବିଧାୟକ, କୃଷିବିଭାଗ, ଷ୍ଟାଟିଷ୍ଟିକାଳ ବିଭାଗ ସହ ମିଶିକି ସପ୍ତାହକ ମଧ୍ୟରେ ଏନେଇ ଆଲୋଚନା କରାଯିବ ବୋଲି ଖଡିଆଳ ତହସିଲଦାର ସିନ୍ଧୁସୁତା ପାତ୍ର ପ୍ରତିଶୃତି ଦେବା ସହ ଗତ ବର୍ଷର ଇନପୁଟ ସବସିଡି ସପ୍ତାହକ ମଧ୍ୟରେ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଥିଲେ । ଏନେଇ ନୂଆପଡା ଜିଲ୍ଲାପାଳ ଡଃ ମଧୁସ୍ମିତା ସାହୁଙ୍କ ସହିତ ଜିଲ୍ଲାପାଳଙ୍କ ପ୍ରକୋÂରେ ଚାଷି ମାନଙ୍କ ସହିତ ବୈଠକ କରାଯାଇଥିଲା । ବୈଠକରେ ନୂଆପଡା ଡିଡିଏଙ୍କ ସମେତ କୃଷିବିଭାଗ, ଷ୍ଟାଟିଷ୍ଟିକାଳ ବିଭାଗ ସହ ନ୍ୟାସନାଲ ରିଲାଏନ୍ସ ଇନସୁରାନ୍ସ କମ୍ପାନୀର କର୍ମକର୍ତା ସାମିଲ ହୋଇଥିଲେ । ସେଥିରେ ଚାଷିଙ୍କୁ ଉପଯୁକ୍ତ ସମୟରେ ବୀମା ରାଶି ପ୍ରଦାନ ସହ ଇନପୁଟ ସବସିଡି ପ୍ରଦାନର ପ୍ରତିଶୃତି ଦିଆଯାଇଥିଲା । ଫଳରେ ଚାଷି ମାନେ ଖୁସି ବ୍ୟକ୍ତ କରି ପ୍ରଶାସନିକ ପ୍ରତିଶୃତିକୁ ପାଳନ କରିଥିଲେ । କିନ୍ତୁ ଏହି ପ୍ରତିଶୃତି ପ୍ରତିଶୃତିରେ ରହିଯାଇଛି । ଜିଲ୍ଲାପାଳଙ୍କ ସହ ବୈଠକ ହୋଇ ପାଖାପାଖି ୪ ମାସ ବିତି ଯାଇଥିଲେ ମଧ୍ୟ କୌଣସି ପ୍ରତିଶୃତି ମଧ୍ୟ ପୂରଣ ହୋଇପାରିନାହିଁ । ଯାହାଫଳରେ ପ୍ରଶାସନିକ ଅଧିକାରୀ ମାନଙ୍କ ଏପରି ପ୍ରତିଶୃତି ଧୂଆଁବାଣ ସଦୃଶ ବୋଲି ଚାଷିକୂଳ ଆଲୋଚନା କରୁଛନ୍ତି । ଏନେଇ ଆସନ୍ତା ଦିନରେ ଏକ ବଡ ଧରଣର ଆନେ୍ଦାଳନ କରାଯିବ ବୋଲି ଖାସବାହାଲ ଏବଂ ଦୋହେଲପଡା ପଂଚାୟତର ଚାଷି ମାନେ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଦେଇଥିବା ପ୍ରତିଶୃତି ଚଳିତ ମାସ ଶେଷ ସୁଦ୍ଧା ପୂରଣ କରିବାକୁ କୃଷକ ମାନେ ଦାବୀ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ କୃଷକ ମାନେ ଗତ ୨୦୧୮ ଖରିଫ ଋତୁ ପାଇଁ ପ୍ରିମିୟମ ରାଶି ଭରଣା କରିଥିଲେ । ନିୟମ ଅନୁସାରେ ଫସଲ ହାନି ହେଲେ ବୀମା ରାଶି ପାଇବା କଥା । କିନ୍ତୁ ଗତ ବର୍ଷ ଭୟଙ୍କର ମରୁଡି ସତ୍ୱେ ଚାଷି ମାନେ ବୀମା ରାଶି ପାଇ ପାରିନଥିଲେ । ନିୟମ ଅନୁସାରେ ସେମାନଙ୍କୁ ବୀମା ରାଶି ପ୍ରଦାନ କରାଯାଉ ବୋଲି ଦାବୀ ଜଣାଇଥିଲେ । କିନ୍ତୁ ପୂର୍ବ ବର୍ଷ ମାନଙ୍କର କ୍ରପ କଟିଙ୍ଗ ଅନୁସାରେ ବୀମା ରାଶି ଦିଆଯାଉଥିବାରୁ ଖାସବାହାଲ ଏବଂ ଦୋହେଲପଡା ପଂଚାୟତକୁ ୨୦୧୮ ବୀମା ରାଶି ଦିଆଯାଇ ପାରିବ ନାହିଁ ବୋଲି କମ୍ପାନୀର କର୍ମକର୍ତା ମାନେ ମତବ୍ୟକ୍ତ କରିଥିଲେ । ବୀମା ପାଇଁ ଆବେଦନ କଲା ସମୟରେ ଏସବୁର କାହିକିଁ ସୂଚନା ଦିଆଗଲା ନାହିଁ ବୋଲି ଚାଷି ମାନେ ଅଭିଯୋଗ କରିଥିଲେ । ଅନ୍ୟପକ୍ଷରେ ବିଭାଗୀୟ ଅଧିକାରୀ ମାନେ ଏନେଇ ପୂର୍ବ ବର୍ଷ ମାନଙ୍କର କ୍ରପ କଟିଙ୍ଗ ସୂଚନା ପାଇଁ ସୂଚନା ଅଧିକାର ଆଇନରେ ସୂଚନା ମାଗିବାକୁ ପରାମର୍ଶ ଦେଇଥିଲେ । ନିୟମ ଅନୁଯାୟୀ କୋର୍ଟରେ ଆବେଦନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଏନେଇ ଦୋହେଲପଡା ଗ୍ରାମର ଚନ୍ଦ୍ରଧ୍ୱଜ ବେହେରା ଗତ ସେପ୍ଟେମ୍ବର ୫ ତାରିଖ ଦିନ ଜିଲା ଯୋଜନା ଓ ତଦାରଖ ୟୁନିଟରେ ଗତ ବର୍ଷ ଧାନ ଫସଲ କଟାର ରିପୋର୍ଟ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ । ସୂଚନା ଅଧିକାରୀ ଏନେଇ ଗତ ଅକ୍ଟୋବର ୧୭ ତାରିଖ ଭିତରେ ସୂଚନା ଦେବାକୁ ଷ୍ଟାଟିଷ୍ଟିକାଳ ବିଭାଗକୁ କଟକଣା କରାଯାଇଛି ବୋଲି ସୂଚନା ଦେବାକୁ ମନା କରି ଚିଠି ଲେଖିଥିଲେ । ଅନ୍ୟପକ୍ଷରେ ଷ୍ଟାଟିଷ୍ଟିକାଳ ବିଭାଗ ଚାଷି ମାନଙ୍କୁ ଭୂଆଁ ବୁଲାଇ ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଲେ ସୂଚନା ଦିଆଯିବ ବୋଲି ଚାଷିଙ୍କୁ କହି ସୂଚନା ନଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ଚାଷି ମାନେ ପ୍ରଶ୍ନ କରିବା ସହ ଜିଲ୍ଲା ପ୍ରଶାସନ ସେମାନଙ୍କୁ ଧୋକା ଦେଇଥିବା ନେଇ ଅଭିଯୋଗ କରିଛନ୍ତି । ବୀମା କମ୍ପାନୀ ସହ ଷ୍ଟାଟିଷ୍ଟିକାଳ ଅଧିକାରୀ ମାନେ ଭିତିରିଆ ବୂଝାମଣା ରଖି ଶହ ଶହ ଚାଷୀଙ୍କ ଦାନାପାଣିରେ ନାତ ମାରିଛନ୍ତି ଏବଂ ସେମାନଙ୍କୁ ଛଡାଯିବ ନାହିଁ, ଆଉ ଏକ ବିରାଟ ଆନେ୍ଦାଳନ କରାଯିବ ବୋଲି ଉଭୟ ପଂଚାୟତର ଚାଷି ମାନେ ଚେତାବନୀ ଦେଇଛନ୍ତି ।