
ସୁବର୍ଣ୍ଣପୁର, ଜିଲ୍ଳାରେ ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗ ଦ୍ଵାରା କାର୍ଯ୍ୟକାରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ପ୍ରକଳ୍ପ ଗୁଡିକର ସମୀକ୍ଷା ତଥା କ୍ଷେତ୍ର ପରିଦର୍ଶନ କରିଛନ୍ତି ଜିଲ୍ଲା ନୋଡାଲ ଅଧିକାରୀ ତଥା ସ୍ଵତନ୍ତ୍ର ସଚିବ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମହେଶ୍ଵର ପାଣିଗ୍ରାହୀ। ଶ୍ରୀ ପାଣିଗ୍ରାହୀ ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଆସି ବିଭାଗ ଦ୍ଵାରା କାର୍ଯ୍ୟକାରି କରାଯାଉଥିବା ବିଭିନ୍ନ କାର୍ଯ୍ୟ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଥିଲେ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ୬ ଗୋଟି ବ୍ଲକରେ ପି.ଆର.ଡି.ଡବ୍ଲୁ. ବିଭାଗର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ବିଶେଷ କରି ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଗ୍ରାମୀଣ ଆବାସ ଯୋଜନା, ଓଡିଶା ଜୀବନ ଜୀବିକା ମିଶନ, ଓରମାସ, ସ୍ଵଚ୍ଛ ଭାରତ ମିଶନ, ନିର୍ମାଣଧୀନ ମିନି ଷ୍ଟାଡିୟମର କାର୍ଯ୍ୟକାରିତା ସମୀକ୍ଷା କରିବା ସହିତ ଜିଲ୍ଲାରେ ୪ର୍ଥ ଓ ୫ମ ରାଜ୍ୟ ଅର୍ଥ ଆୟୋଗ ଓ ଚତୁର୍ଦଶ ଓ ପଞ୍ଚ ଦଶ କେନ୍ଦ୍ର ଅର୍ଥ ଆୟୋଗ ଦ୍ଵାରା ଆବଣ୍ଟିତ ଅର୍ଥ ର ସୁବିନିଯୋଗ ତଥା କାର୍ଯ୍ୟପ୍ରକଳ୍ପ ଗୁଡ଼ିକର ସ୍ଥିତି ଓ ଅଗ୍ରଗତିର ସମୀକ୍ଷା କରିଛନ୍ତି। କାର୍ଯ୍ୟକାରୀ ପ୍ରତ୍ୟେକ ଯୋଜନାର ସୁଫଳ ଯେପରି ତୃଣମୂଳ ସ୍ତରରେ ଯୋଗ୍ୟ ହିତାଧିକାରୀ ପାଇପାରିବେ ସେଥିପ୍ରତି ବିଶେଷ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି। ଓଡିଶା ଜୀବିକା ମିଶନ ଜରିଆରେ ଅଧିକରୁ ଅଧିକ ଯୋଗ୍ୟ ହିତାଧିକାରୀ ସାମିଲ କରି ଗ୍ରାମୀଣ ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆଣିବା ସହ ଗ୍ରାମୀଣ ଜୀବନ ଯାପନ ଶୈଳୀରେ ଉନ୍ନତି ଆଣିବାକୁ ପରାମର୍ଶ ଦେଇଛନ୍ତି ସଚିବ ଶ୍ରୀ ପାଣିଗ୍ରାହୀ। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ସରକାରଙ୍କ ଦ୍ଵାରା ପ୍ରଦତ୍ତ ଶ୍ରମ ଦିବସ ଲକ୍ଷ୍ୟ ଧାର୍ଯ୍ୟକୁ ସମୟ ଅବଧି ମଧ୍ୟରେ ପୂରଣ କରିବା ସହ ଅଧିକରୁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବା, ସରକାରଙ୍କ ଗ୍ରାମୀଣ ଆବାସ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟକୁ ସ୍ଵଛତାର ସହିତ ଶତ ପ୍ରତିଶତ ପୂରଣ କରିବା ଉପରେ ଗୁରୁତ୍ଵାରୋପ କରିଛନ୍ତି ସ୍ଵତନ୍ତ୍ର ସଚିବ। ବ୍ଲକ ଦ୍ଵାରା କାର୍ଯ୍ୟକାରି ସମସ୍ତ ପ୍ରକଳ୍ପ ଗୁଡିକୁ ଧାର୍ଯ୍ୟ ଅବଧି ମଧ୍ୟରେ ପୂରଣ କରିବା ସହ ଅର୍ଥ ବିନିଯୋଗ ପ୍ରମାଣ ପତ୍ରକୁ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି।
ସମୀକ୍ଷା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ତଥା ଜୀବନ ଜୀବିକା ମିଶନର କାର୍ଯ୍ୟ ପ୍ରକଳ୍ପ ଗୁଡିକର କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟନ୍ୱୟନର ସଫଳତା ଉପରେ ବିଶେଷ ଗୁରୁତ୍ଵ ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ସେ କ୍ଷେତ୍ର ପରିଦର୍ଶନ ପରିପ୍ରେକ୍ଷୀରେ ୧୮୫ ଗୃହକୁ ଜଳ ଯୋଗାଣ କରୁଥିବା ହିକୁଡି ଗ୍ରାମରେ ପି.ଡବଲୁ.ଏସ.ଏସ. ଓ ୧୫୫ ଗୃହକୁ ଜଳ ଯୋଗାଉଥିବା ବାଗଲପୁର ପି.ଡବଲୁ.ଏସ.ଏସ. ପରିଦର୍ଶନ କରିଥିଲେ। ପରେ ହିକୁଡି ଓ ବାଘଳପୁର ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ପୁଷ୍ଟିକର, ଶିକ୍ଷାଦାନ ଏବଂ ଶିକ୍ଷଣ ଦିଗ ବିଷୟରେ ପଚାରି ବୁଝିଥିଲେ। ତତ୍ପରେ ସଚିବ, ଏମଜିଏନଆରଇଜିଏ, ସି ଏଫ ସି ,ଏସ ଏଫ ସି , ପାଣ୍ଠି ରୁ ଆବଣ୍ଟିତ ମେଟାକାନି ପାର୍କ, ମେଟାକାନି ଟ୍ୟାଙ୍କ ଓ ଚଡେଇପଙ୍କ ଜିପି ର ଏସ ଏଫ ସି ଅର୍ଥ ରୁ ମେଟାକାନିରେ ନିର୍ମିତକଲ୍ୟାଣ ମଣ୍ଡପର ପରିଦର୍ଶନ କରିଥିଲେ। ଚଢେଇପଙ୍କ ଜିପି ର ସରପଞ୍ଚ ଓ ପିଇଓଙ୍କ ସହିତ ଆଲୋଚନା କରିବା ସହ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ବିଦ୍ୟୁତ୍ ଦେୟ, ଏସ ଏଫ ସି ଓ ସିଏଫସି ପାଣ୍ଠି ବିନିଯୋଗର ସମୀକ୍ଷା କରିଥିଲେ। ଉଲୁଣ୍ଡା ଠାରେ ରାଜ୍ୟ କ୍ରୀଡା ବିଭାଗ ତରଫରୁ ୨୦ ଲକ୍ଷ ଟଙ୍କା, ଜିମ୍ ଯନ୍ତ୍ରପାତି ପାଇଁ ୧୫ ଲକ୍ଷ ଓ ଏମପି ଲାଡ ରୁ ୯ ଲକ୍ଷ ବ୍ୟୟ ରେ ନିର୍ମିତ ମିନି ଷ୍ଟାଡିୟମର ପରିଦର୍ଶନ କରିଥିବା ବେଳେ ଉଲୁଣ୍ଡା ଜିପି ର ସରପଞ୍ଚ ସହିତ ଉନ୍ନୟନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ପୁନଶ୍ଚ ସଚିବ ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟ ପରିଦର୍ଶନ କରି ବିଭିନ୍ନ ଯୋଜନା ଅଧୀନରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ | ସେ ଉଲ୍ଲୁଣ୍ଡା ବ୍ଲକର ଅଫିସ୍ ରେକର୍ଡ, ବିଭିନ୍ନ ରେଜିଷ୍ଟର ଇତ୍ୟାଦି ଯାଞ୍ଚ କରିବା ସହ ପଞ୍ଚାୟତ ଜନ ପ୍ରତିନିଧିଙ୍କ ସହ ପାରସ୍ପରିକ ଆଲୋଚନା କରିଥିଲେ।
ସଚିବଙ୍କ ଜିଲ୍ଳା ଗସ୍ତ ଅବସରରେ ଅନୁଷ୍ଠିତ ସମୀକ୍ଷା ବୈଠକ ତଥା କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଳା ପରିଷଦ ନିହାର ରଞ୍ଜନ କଁହର ସମସ୍ତ ବିଡିଓ, ଏ ବିଡ଼ିଓ, ବୈଷୟିକ ଅଧିକାରୀ ତଥା ସମ୍ପୃକ୍ତ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ବରିଷ୍ଠ କର୍ମଚାରୀ, ଜିପିଈଓ, ଏନଆର ଇ ଜି ଏ କର୍ମଚାରୀ, ହିସାବ ରକ୍ଷକ ଅଧିକାରୀ,ଙ୍କ ସହ ବ୍ଲକ ସ୍ତରୀୟ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।