-
୨୪ , ୨୫ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର , ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି (ଗୁରୁବାର) ଉତର-ଆଣ୍ଡାମାନ ସାଗର ତତ-ସଂଲଗ୍ନ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତୀ ଦକ୍ଷିଣପୂର୍ବ ସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ରହିଛି । ଲଘୁଚାପ କ୍ଷେତ୍ର ପ୍ରଭାବରେ ବାତ୍ୟା ସୃଷ୍ଟି ହେବା ସ୍ପଷ୍ଟ ହୋଇଛି । ଯାହାର ନାଁ ରଖାଯାଇଛି ସିତ୍ରାଙ୍ଗ । ହେଲେ ଓଡ଼ିଶା ଉପରେ ଏହି ବାତ୍ୟାର ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଏହା ଓଡ଼ିଶା ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ନାହିଁ । ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ଉପକୂଳ ଆଡ଼କୁ ମୁହାଁଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ଆଇଏମ୍ଡି ଡିଜି କହିଛନ୍ତି, ଉତର ଆଣ୍ଡାମାନ ସାଗର ଓ ନିକଟବର୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ନିକଟସ୍ଥ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଉପରେ ଏହି ଅବପାତ ସୃଷ୍ଟି ହେବ । ତାହା ପଶ୍ଚିମ-ଉତର ପଶ୍ଚିମ ଦିଗରେ ଗତି ଜାରି ରଖିବ । ଏହା ୨୩ ତାରିଖ ବେଳକୁ ଗଭୀର ଅବପାତରେ ପରିଣତ ହେବ । ୨୪ ତାରିଖରେ ଏହା ଦିଗ ପରିବର୍ତନ କରି ଉତର ଆଡ଼କୁ ମୋଡ଼ ବଦଳାଇବ ଏବଂ ଏକ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବ । ଏହା ପରେ ଉତର-ଉତର ପୂର୍ବ ଦିଗ ଆଡ଼କୁ ଗତି କରିବ । ଏବେଠୁ ଏହାର ତୀବ୍ରତା ଜଣାପଡ଼ିନି । ଡିପ୍ରେସନରେ ପରିଣତ ହେଲେ ଏହାର ରୂପରେଖ ଅଧିକ ସ୍ପଷ୍ଟ ହେବ । ଏହା ପ୍ରଭାବରେ ଓଡ଼ିଶାର ଉପକୂଳବର୍ତୀ ଜିଲ୍ଲାରେ ୨୪ ଓ ୨୫ରେ ବର୍ଷା ହେବ ।
ବାତ୍ୟା ପ୍ରଭାବରେ ୨୧ ପାଖରୁ ଦକ୍ଷିଣ ଓ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ । ତେଣୁ ଏହି ସମୟରେ ମତ୍ସ୍ୟଜୀବୀ ସମୁଦ୍ରକୁ ଯିବା ଉଚିତ ନୁହେଁ । ଯେଉଁମାନେ ଯାଇଛନ୍ତି କୂଳକୁ ଫେରି ଆସିବା ଉଚିତ । ଓଡ଼ିଶା ଉପକୂଳ ନିକଟରେ ୨୩ ବେଳକୁ ସମୁଦ୍ର ଅଶାନ୍ତ ରହିବ । ପବନର ବେଗ ବଢ଼ି ଧୀରେ ଧୀରେ ୪୦-୫୦ କିମି ବେଗରେ ପବନ ବହିବ ବୋଲି କହିଛନ୍ତି ଆଇଏମଡି ଡିଜି ।