ବଲାଙ୍ଗୀର, ବଲାଙ୍ଗିର ନାଗରିକ କମିଟିର ମାଧ୍ୟମିକ ଶିକ୍ଷା ସବ୍ କମିଟୀର ସଦସ୍ୟ ବ୍ରଜରାଜ ପୁରୋହିତ, ଧର୍ମବ୍ରତ ରଥ ଏବଂ ଦିବାକର ହୋତା ଗତକାଲି ମାଲଗୋଦାମ ପଡା ୟୁ.ପି. ସ୍କୁଲ ପରିଦର୍ଶନରେ ଯାଇଥିଲେ । ପରିଦର୍ଶନ ସମୟରେ ସିଆରସିସି ରଶ୍ମିତା ମହାନ୍ତି, ପ୍ରଧାନ ଶିକ୍ଷୟତ୍ରୀ ଅନୁସୟା ଖୁଆସ, ସହକାରୀ ଶିକ୍ଷକ ବ୍ରହ୍ମାନନ୍ଦ ପଣ୍ଡା ଏବଂ ସ୍କୁଲ କମିଟି ସଭାପତି ଯୁଧିଷ୍ଟିର ବାଗ ବିଦ୍ୟାଳୟରେ ଉପସ୍ଥିତ ଥିଲେ । ମୋଟ ଦୁଇଟି କୋଠରୀରେ ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ୪୨ ଜଣ ଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଥିଲେ । ସ୍କୁଲ କମିଟି ସଭାପତି ଓ ଶିକ୍ଷକବୃନ୍ଦ ଆଲୋଚନା ସମୟରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସଂପର୍କ ସମ୍ବନ୍ଧରେ ସୂଚନା ଦେଇଥିଲେ । ବିଦ୍ୟାଳୟର ପାଚେରୀ ନିର୍ମାଣ, ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଶ୍ରେଣୀଗୃହ, ରନ୍ଧନଶାଳା, ପିଇବା ପାଣି ଉପଲବ୍ଧ କରିବା ତଥା ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ପୃଥକ ପୃଥକ ଶୈାଚାଳୟର ବ୍ୟବସ୍ଥା କରିବା ପାଇଁ ବିଦ୍ୟାଳୟ କମିଟି ତରଫରୁ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବରେ ଜଣାଇବା ସତ୍ବେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ପରିଲକ୍ଷିତ ହୁଏ । ବିଦ୍ୟାଳୟର ଅଧିକାଂଶ ଛାତ୍ରଛାତ୍ରୀ ଏସସି, ଏସଟି ବର୍ଗର ହୋଇଥିବା ସତ୍ବେ ଏହି ଅବହେଳିତ ଛାତ୍ର ଛାତ୍ରୀଙ୍କ ପାଠପଢା ପାଇଁ ନ୍ୟୁନତମ ସୁବିଧା ସୁଯୋଗ ପ୍ରଦାନ କରାଯାଇପାରିନାହିଁ । ଏ ଦିଗରେ ସ୍କୁଲ କମିଟୀ ସଭାପତି ଯୁଧିଷ୍ଟିର ବାଗ ବ୍ୟକ୍ତିଗତ ଭାବରେ ବିଇଓ, ଡିଇଓ ଏବଂ ଜିଲ୍ଲାପାଳଙ୍କୁ ମୌଖିକ ଓ ଲିଖିତ ଭାବରେ ଜଣାଇଥିବା ସୂଚନା ଦେଇଥିଲେ । ଏ ଦିଗରେ ବିଭାଗୀୟ ଅଧିକାରୀ ଏବଂ ପୌରପାଳିକା ସ୍ଵତନ୍ତ୍ର ଦୃଷ୍ଟି ଦେବେ ବୋଲି ଆଶା କରାଯାଏ ।
Related Stories
November 1, 2024