ଭୁବନେଶ୍ୱର, କେରଳର କୋଚି ଠାରେ ୮ମ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଜାତୀୟ ସମୀକ୍ଷା ସମ୍ମିଳନୀ ୧୯ ଏବଂ ୨୦ ଅକ୍ଟୋବର ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ରାଜ୍ୟ ଜମିଜମା ପୋର୍ଟାଲ (ଭୁଲେଖ)କୁ ଜାତୀୟ ଫସଲବୀମା ପୋର୍ଟାଲ ସହ ସଫଳତାର ସହ ସଂଯୋଗୀକରଣ ନିମନ୍ତେ ଓଡ଼ିଶାର ରାଜ୍ୟ ସରକାରଙ୍କୁ ସମ୍ମାନିତ କରାଯାଇଛି । ଏହି ପ୍ରୟାସ ଦ୍ୱାରା ଫସଲବୀମାରେ ନକଲି ପଞ୍ଜିକରଣକୁ ରୋକାଯାଇ ପାରିଛି । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଅନନ୍ୟ ଭୂମିକା ରହିଛି ।
ଏହି ସମ୍ମିଳନୀରେ ଯୋଗଦାନ କରି କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ରାଜ୍ୟ ସରକାରଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିବା ସହ ଫସଲ ବୀମା ଯୋଜନାକୁ କୃଷକମାନଙ୍କ ନିମନ୍ତେ ଅଧିକ ହିତକାରୀ କରିବା ପାଇଁ ସୁଚିନ୍ତିତ ମତାମତ ରଖିଥିଲେ । ରାଜ୍ୟ ସରକାରଙ୍କର ଏହି ସଫଳ ପ୍ରୟାସ ନିମନ୍ତେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ ତଥା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବଭାଗ, କୃଷି ଉତ୍ପାଦନ କମିଶନର ଏବଂ ପ୍ରମୁଖ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣର ସମସ୍ତ ଭାଗୀଦାର ସଂସ୍ଥା ଏବଂ କାର୍ଯ୍ୟକ୍ରମ ରୂପାୟନରେ ସମ୍ପୃକ୍ତ କର୍ମକର୍ତାମାନଙ୍କୁ ସାଧୁବାଦ ଜଣାଇବା ସହ ଭବିଷ୍ୟତରେ ଫସଲବୀମା ଯୋଜନାକୁ ଅଧିକ ଲୋକାଭିମୁଖୀ ଓ ବ୍ୟାପକ କରିବା ନିମନ୍ତେ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ ।