
ଭୁବନେଶ୍ୱର,ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କୁ ଦଳରୁ ବହିଷ୍କାର କରିଛି ବିଜେଡି । ଦଳ ବିରୋଧୀ କାର୍ଯ୍ୟ ପାଇଁ ରାଜେନ୍ଦ୍ରଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହିଷ୍କାର କରିଥିବା ନେଇ ଦଳ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ବିଜେଡିରୁ ବହିଷ୍କୃତ ହେବା ପରେ ରାଜେନ୍ଦ୍ର ଦାସ ପ୍ରତିକ୍ରୟା ଦେଇ କହିଛନ୍ତି, ସଭାପତିଙ୍କ ନିଷ୍ପତିକୁ ମୁଣ୍ଡ ପାତି ସହୁଛି ଓ ସ୍ୱାଗତ କରୁଛି । ଆମେ ଲୋକଙ୍କ ସହ ଅଛୁ । କାର୍ଯ୍ୟାନୁଷ୍ଠାନ ବଡ଼ କଥା ନୁହେଁ । ଲୋକଙ୍କ ସେବା କରିବା ପାଇଁ ରାଜନୀତି କରୁଛି । ଧାମନଗରବାସୀଙ୍କ ସ୍ୱାଭିମାନ ରକ୍ଷା ପାଇଁ ସଂଗ୍ରାମ ଜାରି ରହିବ । ମୋ ପଛରେ ଧାମନଗରବାସୀଙ୍କ ସମର୍ଥନ ରହିଛି ଓ ମୁଁ ନିଶ୍ଚୟ ବିଜୟୀ ହେବି ।
ସୂଚନାଯୋଗ୍ୟ ଯେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଏଥର ଉପନିର୍ବାଚନରେ ବିଜେଡିରୁ ଟିକେଟ ପାଇବା ପାଇଁ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କୁ ଟିକେଟ୍ ନଦେଇ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କଲା । ଫଳରେ ରାଜେନ୍ଦ୍ର ଅସନ୍ତୁଷ୍ଟ ହୋଇଥିଲେ । ତାଙ୍କୁ ଦଳ ପକ୍ଷରୁ ବୁଝାଇବାକୁ ପ୍ରୟାସ କରାଯାଇଥିଲା । କିନ୍ତୁ ସେ ବୁଝି ନଥିଲେ । ଶେଷରେ ରାଜେନ୍ଦ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ ।ରାଜେନ୍ଦ୍ର ଏବେ ଉପନିର୍ବାଚନ ପାଇଁ ଜୋରସୋରରେ ପ୍ରଚାର କରୁଛନ୍ତି । ତାଙ୍କୁ ‘ଭାସମାନ ଡଙ୍ଗା ସହ ନାବିକ ଓ କାତ’ ଚିହ୍ନ ମିଳିଛି । ବିଜେପିର ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ଯୋଗୁ ଧାମନଗରରେ ହେଉଛି ଉପନିର୍ବାଚନ । ଏଥିରେ ବିଜେପି ପକ୍ଷରୁ ବିଷ୍ଣୁ ସେଠୀଙ୍କ ପୁଅ ସୂରଜ ସୂର୍ଯ୍ୟବଂଶୀ ପ୍ରାର୍ଥୀ ହୋଇଛନ୍ତି ।