
-
୩୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଂଯୋଗୀକରଣ ପ୍ରକଳ୍ପ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଉତରାଖଣ୍ଡ ଗସ୍ତ କରିବେ । ପୂର୍ବାହ୍ନ ୮.୩୦ରେ ସେ କେଦାରନାଥ ସ୍ଥିତ ଶ୍ରୀ କେଦାରନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିବେ । ପୂର୍ବାହ୍ନ ୯ଟାରେ ପ୍ରଧାନମନ୍ତ୍ରୀ କେଦାରନାଥ ରୋପୱେ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହାପରେ ସେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ସମାଧି ସ୍ଥଳ ପରିଦର୍ଶନ କରିବେ । ପୂର୍ବାହ୍ନ ୯.୨୫ରେ ପ୍ରଧାନମନ୍ତ୍ରୀ ମନ୍ଦାକିନୀ ଅଷ୍ଟପଥ ଓ ସରସ୍ୱତୀ ଅଷ୍ଟପଥର ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ।
ଏଠାରୁ ପ୍ରଧାନମନ୍ତ୍ରୀ ବଦ୍ରିନାଥ ଯିବେ । ପୂର୍ବାହ୍ନ ୧୧.୩୦ରେ ପ୍ରଧାନମନ୍ତ୍ରୀ ଶ୍ରୀ ବଦ୍ରିନାଥ ମନ୍ଦିରରେ ଦର୍ଶନ ଓ ପୂଜା କରିବେ । ମଧ୍ୟାହ୍ନ ୧୨ଟା ବେଳେ ସେ ନଦୀତଟ ବିକାଶ କାର୍ଯ୍ୟର ପ୍ରଗତି ସମୀକ୍ଷା କରିବେ । ମଧ୍ୟାହ୍ନ ୧୨.୩୦ରେ ପ୍ରଧାନମନ୍ତ୍ରୀ ମାନା ଗାଁରେ ରାସ୍ତା ଓ ରୋପୱେ ପ୍ରକଳ୍ପର ଶିଳାନ୍ୟାସ କରିବେ । ପରେ ଦିନ ପ୍ରାୟ ୨ଟା ବେଳକୁ ଆଗମନ ପ୍ଲାଜା ଓ ହ୍ରଦଗୁଡିକର ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ।
କେଦାରନାଥ ରୋପୱେ ପ୍ରାୟ ୯.୭ କିଲୋମିଟରର ହେବ ଓ ଗୌରୀକୁଣ୍ଡ ଏବଂ କେଦାରନାଥକୁ ସଂଯୋଗ କରିବ । ଏହି ଦୁଇଟି ସ୍ଥାନକୁ ଯାତ୍ରା ପାଇଁ ଏବେ ୬ରୁ ୭ ଘଣ୍ଟା ସମୟ ଲାଗୁଥିବା ବେଳେ ରୋପୱେ ଦ୍ୱାରା ଏହି ଯାତ୍ରା ୩୦ ମିନିଟରେ ହୋଇପାରିବ । ହେମକୁଣ୍ଡ ରୋପୱେ ଗୋବିନ୍ଦଘାଟରୁ ହେମକୁଣ୍ଡ ସାହେବକୁ ସଂଯୋଗ କରିବ । ଏହାର ଦୈର୍ଘ୍ୟ ୧୨.୪ କିଲୋମିଟର ରହିବ ଓ ଏହାଦ୍ୱାରା ପୂର୍ବରୁ ଦିନକରୁ ଅଧିକ ସମୟ ଲାଗୁଥିବା ଯାତ୍ରା ଅବଧି ଏବେ ମାତ୍ର ୪୫ ମିନିଟରେ ସୀମିତ ରହିବ ।
ଏହି ରୋପୱେ ଭ୍ୟାଲି ଅଫ ଫ୍ଲାୱାର୍ସ ଜାତୀୟ ଉଦ୍ୟାନର ପ୍ରବେଶ ଦ୍ୱାର ଘଙ୍ଗାରିଆକୁ ସଂଯୋଗ କରିବ । ପ୍ରାୟ ୨୪୩୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ହେବାକୁ ଥିବା ଏହି ରୋପୱେ ସୁରକ୍ଷିତ, ନିରାପଦ ଓ ସ୍ଥାୟୀ ପରିବହନ ପ୍ରଦାନ କରୁଥିବା ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ପାଲଟିବ । ପ୍ରମୁଖ ଭିତ୍ତିଭୂମିର ବିକାଶ ଦ୍ୱାରା ଧାର୍ମିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ । ଯାହାଦ୍ୱାରା ଅଞ୍ଚଳର ଆର୍ôଥକ ବିକାଶ ତ୍ୱରାନ୍ୱିତ ହେବ ଓ ବହୁମୁଖୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ଏହି ଗସ୍ତ ଅବସରରେ ପ୍ରାୟ ୧୦୦୦ କୋଟି ମୂଲ୍ୟର ସଡକ ସମ୍ପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ ହେବ । ଦୁଇଟି ସଡକ ସମ୍ପ୍ରସାରଣ ପ୍ରକଳ୍ପ- ମାନାରୁ ମାନାପାସ (ଏନଏଚ ୦୭) ଓ ଯୋଶୀମଠରୁ ମଲାରି (ଏନଏଚ ୧୦୭ବି) ସୀମାନ୍ତ ଅଞ୍ଚଳକୁ ଅଲୱେଦର ସଡକ ସଂଯୋଗ ପାଇଁ ଆଉ ଏକ ପଦକ୍ଷେପ ପାଲଟିବ । ସଂଯୋଗୀକରଣକୁ ପ୍ରୋତ୍ସାହିତ କରିବା ସହ ଏହି ପ୍ରକଳ୍ପଗୁଡିକ ରଣନୈତିକ ଦୃଷ୍ଟିରୁ ମଧ୍ୟ ବେଶ ଲାଭଦାୟକ ହେବେ ।