
ଭୁବନେଶ୍ୱର, ଗତକାଲିର ଘୂର୍ଣ୍ଣିବଳୟ ବୁଧବାର ଉତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତୀ ଅଂଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ମଧ୍ୟଭାଗ ଯାଏ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଂଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ସମୁଦ୍ର ଅଶାନ୍ତ ରହୁଥିବାରୁ ୨୨ରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ମଧ୍ୟକୁ ଯିବାକୁ ମନା କରାଯାଇଥିବା ବେଳେ ୨୩ ରୁ ଓଡିଶା ଉପକୂଳର ଆଖପାଖ ସମୁଦ୍ରକୁ ନଯିବା ସହ ୨୨ ସୁଦ୍ଧା ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରି ଆସିବାକୁ ସୂଚନା ଜାରି କରିଛି ପାଣିପାଗ ବିଭାଗ ।
ପରବର୍ତୀ ସମୟରେ ଲଘୁଚାପ ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତିକରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ଥିବା ବେଳେ ପରବର୍ତୀ ୪୮ ଘଂଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଗୋଟିଏ ସାମୁଦ୍ରିକ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ତେବେ, ୨୩ ଅକ୍ଟୋବର ସକାଳ ପର୍ଯ୍ୟନ୍ତ ରାଜ୍ୟର ପାଣିପାଗରେ କୌଣସି ବଡ଼ ଧରଣରର ପରିବର୍ତନ ବା ବଡ଼ ବର୍ଷାର ସମ୍ଭାବନା ନାହିଁ ବୋଲି ଜାରି ସତର୍କ ସୂଚନାରେ କୁହାଯାଇଛି । କିନ୍ତୁ, ଏହାର ପ୍ରଭାବରେ ୨୨ ଅକ୍ଟୋବରରୁ ଉତର ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ର ଅଂଚଳରେ ଘଂଟାପ୍ରତି ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ର ଅଂଚଳକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।