ଭୁବନେଶ୍ୱର – ଓଡ଼ିଶାରେ ବର୍ଷକୁ ହାରାହାରି ୧ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି ବୋଲି ଗୁରୁବାର ବିଧାନସଭାରେ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଧାୟକ ଶ୍ରୀ ମୋହନଚରଣ ମାଝୀଙ୍କ ପର୍ଯ୍ୟଟକଙ୍କ ସଂଖ୍ୟା ସମ୍ପର୍କିତ ପ୍ରଶ୍ନର ଉତରରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ଯେ, ଓଡ଼ିଶାରେ ବର୍ଷକୁ ହାରାହାରି ୧ କୋଟିରୁ ଊଦ୍ଧ୍ୱର୍ ଭାରତୀୟ ଓ ୧ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥାନ୍ତି ।
ସେମାନଙ୍କ ମଧ୍ୟରୁ ୨୦୧୮-୧୯ରେ ଏହି ବିଭାଗ ଦ୍ୱାରା କରାଯାଇଥିବା ଏକ ସର୍ଭେର ଆକଳନ ଯୋଗୁଁ ୯୨ ପ୍ରତିଶତ ପର୍ଯ୍ୟଟକ ହେଉଛନ୍ତି ଧାର୍ମିକ । ଜାନୁଆରୀ ୧, ୨୦୧୯ ତାରିଖ ସୁଦ୍ଧା ରାଜ୍ୟରେ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୬ଗୋଟି ତାରକା ହୋଟେଲ, ୧୮୭୯ ଗୋଟି ଉଚ୍ଚମାନର ତଥା ବଜେଟ୍ ହୋଟେଲ/ମୋଟେଲ, ରାଜ୍ୟ ପର୍ଯ୍ୟଟନ ନିଗମର ୨୧ଟି ପାନ୍ଥ ନିବାସର ସୁବିଧା ରହିଛି । ମୋଟ ୭୯ ହଜାର ୯୧୭ ସଂଖ୍ୟାକ ରୁମ୍, ୭୯ ହଜାର ୯୭୮ ସଂଖ୍ୟକ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ରହିଛି ବୋଲି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
ମନ୍ତ୍ରୀଙ୍କ ଏହି ଉତର ଉପରେ ମତ ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀ ମାଝୀ କହିଛନ୍ତି ଯେ, ରାଜ୍ୟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଭିତିଭୂମି ଥିବାବେଳେ ଏହାର ବିକାଶ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିପାରିନାହାନ୍ତି । ଅଧିକ ସଂଖ୍ୟକ ପର୍ଯ୍ୟଟନ ସ୍ଥଳକୁ ଚିହ୍ନଟ କରିବା ଓ ଆକର୍ଷଣ କେନ୍ଦ୍ରବିନ୍ଦୁ ହୋଇଥିବା ପର୍ଯ୍ୟଟନ ସ୍ଥଳଗୁଡ଼ିକ ଯେପରି ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପାରିବ ସେ ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି ।