
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଗୁଜୁରାଟ ଠାରେ ପିଏମ୍ଜେଏୱାଇ – ଏମ୍ଏ ଯୋଜନା ଆୟୁଷ୍ମାନ କାର୍ଡର ବଂଟନ ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିଏମ୍ଜେଏୱାଇ – ଏମ୍ଏ ଯୋଜନା ଆୟୁଷ୍ମାନ କାର୍ଡର ହିତାଧିକାରୀ ମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।
ବନସକଣ୍ଠାର ତୁୱାରର ଶ୍ରୀ ପୀୟୁଷ ଭାଇଙ୍କ ସହ ଯୋଗାଯୋଗ କରି ପ୍ରଧାନମନ୍ତ୍ରୀ ତାଙ୍କ ପରିବାର ଏବଂ ତାଙ୍କର ବର୍ତ୍ତମାନର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ । ଆୟୁଷ୍ମାନ ଭାରତ ଯୋଜନା ତାଙ୍କୁ ଜୀବନରେ ଏକ ନୂତନ ପଟ୍ଟା ଦେଇଛି ବୋଲି ତାଙ୍କଠାରୁ ଶୁଣିବା ପରେ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ, ସରକାର ତାଙ୍କ ଭଳି ଅନ୍ୟ ସମସ୍ତଙ୍କର ମଧ୍ୟ ଯତ୍ନ ନେବେ ।
ପ୍ରଧାନମନ୍ତ୍ରୀ ମହୀସାଗରର ଶ୍ରୀ ଦାମୋର ଲାଲାଭାଇ ସୋମାଭାଇଙ୍କ ସହ କଥାବାର୍ତ୍ତା କରି ତାଙ୍କର କର୍କଟ ରୋଗର ଚିକିତ୍ସା ଭଲରେ ଚାଲିଛି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଥିଲେ । ଶ୍ରୀ ଦାମୋରଙ୍କ ଚିକିତ୍ସା ଆୟୁଷ୍ମାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିଲା ଏବଂ ତାଙ୍କୁ ତାଙ୍କର ଚିକିତ୍ସା ପାଇଁ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିଲା ନାହିଁ ବୋଲି ଜାଣିବା ପରେ ସେ ଖୁସି ହୋଇଥିଲେ । ତମାଖୁ ଛାଡିବାକୁ ଶପଥ ନେବାକୁ ସେ ଶ୍ରୀ ଦାମୋରଙ୍କୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିବା ସହ ଏହି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରିବାକୁ କହିଥିଲେ ।
ଗାନ୍ଧିନଗରର ଦରଜୀର ଶ୍ରୀମତୀ ରାମିଲାବେନ୍ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ ଯେ, ଯଦି ଆୟୁଷ୍ମାନ କାର୍ଡ ଉପଲବ୍ଧ ହୋଇ ନଥାନ୍ତା, ତେବେ ତାଙ୍କୁ ତାଙ୍କର ଚିକିତ୍ସା ପାଇଁ ଋଣ ନେବାକୁ ପଡିଥାନ୍ତା ଏବଂ ଅର୍ଥାଭାବରୁ ସେ ଏହି ଅପରେସନ ଠାରୁ ନିଜକୁ ଆବଶ୍ୟକ ପଡିଲେ ଦୂରେଇ ରଖିଥାନ୍ତେ । ମାଆ ଏବଂ ଭଉଣୀମାନେ ଏହି ଯୋଜନାର ସୁଯୋଗ ନେଉଛନ୍ତି ବୋଲି ଜାଣିବା ପରେ ପ୍ରଧାନମନ୍ତ୍ରୀ ତାଙ୍କର ଖୁସି ବ୍ୟକ୍ତ କରିଥିଲେ ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରି କହିଥିଲେ ଯେ, ଜନସ୍ୱାସ୍ଥ୍ୟ ବିଷୟରେ ଏଭଳି ଏକ ବୃହତ୍ କାର୍ଯ୍ୟକ୍ରମ ଧନତେରାସ୍ ଏବଂ ଦିପାବଳୀ ପୂବରୁ ଅନୁଷ୍ଠିତ ହୋଇଛି । ସେ ଏହି ସଂଯୋଗକୁ ଲକ୍ଷ୍ୟ କରି ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଧନତେରାସ୍ ନିକଟରେ ଅଛି ଏବଂ ଆୟୁର୍ବେଦର ପ୍ରତିଷ୍ଠାତା ଭାବେ ବିବେଚନା କରାଯାଉଥିବା ଭଗବାନ ଧନନ୍ତ୍ୱରୀଙ୍କୁ ଏହି ଅବସରରେ ପୂଜା କରାଯାଏ । ଶାସ୍ତ୍ରରୁ ଏକ ପଂକ୍ତି ଉଦ୍ଧୃତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଅରୋଗ୍ୟମ୍ ପରମମ୍ ଭାଗ୍ୟମ୍” ଏବଂ ଏହା ସହିତ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ଅରୋଗ୍ୟ ଧନକୁ ଗୁଜରାଟର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରଦାନ କରିବା ଭଳି ଏକ ବଡ଼ ଧରଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିବାରୁ ଖୁସି ବ୍ୟକ୍ତ କରିଥିଲେ ।
‘ସର୍ଭେ ସନ୍ତୁ ନିରାମୟା’ର ଉତ୍ସାହକୁ ସୂଚାଇ , ଅର୍ଥାତ୍ ସମସ୍ତେ ରୋଗମୁକ୍ତ ହୋଇ ପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆୟୁଷ୍ମାନ ଯୋଜନା ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଲକ୍ଷ୍ୟ ରଖିଛି ବୋଲି ସେ ଦର୍ଶାଇଥିଲେ । ରାଜ୍ୟରେ ଲୋକଙ୍କୁ ୫୦ ଲକ୍ଷ କାର୍ଡ ବଂଟନ ଅଭିଯାନର ବ୍ୟାପକତାକୁ ପ୍ରଧାନମନ୍ତ୍ରୀ ଭୁରି ଭୁରି ପ୍ରଶଂସା କରିଥିଲେ । ଏହା ଗୁଜୁରାଟ ରାଜ୍ୟ ସରକାରଙ୍କର ସମ୍ବେଦନଶୀଳତାର ପ୍ରଦର୍ଶନ ଅଟେ ବୋଲି ସେ କହିଥିଲେ । “ଆମେ ବିଶ୍ୱର ଅନେକ ଦେଶରେ ସ୍ୱାସ୍ଥ୍ୟ ବୀମା ବିଷୟରେ ଶୁଣିବାକୁ ପାଉଛୁ, କିନ୍ତୁ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରି ଭାରତ ଏହା ଠାରୁ ଆଗେଇ ଯାଉଛି” ।
ପରିବର୍ତ୍ତିତ ରାଜନୈତିକ ଚିନ୍ତାଧାରା ଏବଂ କାର୍ଯ୍ୟ ସଂସ୍କୃତି ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଥିଲେ । ପୂର୍ବ ସରକାର ଗୁଡିକରେ ସାଧାରଣ ଲୋକଙ୍କ ସୁବିଧା ପାଇଁ ଯୋଜନାଗୁଡିକ କେବଳ ଏକ ଔପଚାରିତା ହୋଇ ପାରିଥିଲା । ଏହି ଯୋଜନା ଗୁଡିକରେ ଖର୍ଚ୍ଚ ହୋଇଥିବା ଅର୍ଥ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ଏବଂ ରାଜନୈତିକ ସ୍ୱାର୍ଥକୁ ଦୃଷ୍ଟିରେ ରଖି କରା ଯାଇଥିଲା । “ଏହି ପରିସ୍ଥିତିକୁ ପରିବର୍ତ୍ତନ କରିବା ଆବଶ୍ୟକ ଥିଲା ଏବଂ ଆମେ ଏହି ପରିବର୍ତ୍ତନରେ ନେତୃତ୍ୱ ନେଇଥିଲୁ । ଆଜି ଯେତେବେଳେ ଯୋଜନା ପ୍ରସ୍ତୁତ ହେଉଛି , ଆମେ ପ୍ରଥମେ ସାଧାରଣ ନାଗରିକଙ୍କ ଅବସ୍ଥା ଅଧ୍ୟୟନ କରୁଛୁ ଏବଂ ସେମାନଙ୍କର ଆବଶ୍ୟକତା ଗୁଡିକୁ ଅଧ୍ୟୟନ କରୁଛୁ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ଯେ “ଆମର ଯୋଜନା ଗୁଡିକ ଆଜି ସାଧାରଣ ନାଗରିକ ମାନଙ୍କର ଆବଶ୍ୟକତା ଗୁଡିକୁ ସିଧାସଳଖ ସମାଧାନ କରୁଛି ।”