ଘଟଗାଁ, କେନ୍ଦୁଝର ଜିଲ୍ଲା ଘସିପୁରା ନିର୍ବାଚନ ମଣ୍ଡଳୀ ଘଟଗାଁ ବ୍ଲକ ଅନ୍ତର୍ଗତ ତରା ଗ୍ରାମ ପଞ୍ଚାୟତର ବେଢାପାଳ ଗ୍ରାମ୍ୟ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । କେନ୍ଦ୍ର ଓ ରାଜ୍ଯ ସରକାର ସର୍ବସାଧାରଣଙ୍କ ଗମନାଗମନ ପାଇଁ ଯୋଜନା ଉପରେ ଯୋଜନା କରି ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ, ଯୋଜନାର କାର୍ଯ୍ୟକାରିତାରେ ତଳରୁ ଉପର ପର୍ଯ୍ୟନ୍ତ ଏଥିରେ ଗୁରୁତ୍ଵ ନଦେଇ ପିସି କାରବାର ଓ ତୃଟି ବିଚ୍ୟୁତି ଯୋଗୁଁ ବ୍ଲକ ସ୍ଥିତ ପଞ୍ଚାୟତ ଗୁଡିକର ଗ୍ରାମ୍ୟ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ଦେଖିବାକୁ ମିଳୁଛି । ଏହାର ମରାମତି ପାଇଁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟକାରି ହେଉନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, କଂଗ୍ରେସ ଶାସନ କାଳରେ ଉକ୍ତ ରାସ୍ତାକୁ ପିଚୁ ରାସ୍ତା କରାଯିବାକୁ ମେଟାଲିଂ କରାଯାଇଥିଲା । ପରେ ବିଜେଡି ସରକାର ଆସିବାର ୫ ବର୍ଷ ପରେ ଏମ୍ ଜି ଏନଆରଜିଏସ୍ (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା)ରେ ସାଢେ ୮ଲକ୍ଷରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳରେ ମାଟି ମୋରମର ନିମ୍ନମାନର କାମ କରାଯାଇଥିଲା । ଇତିମଧ୍ୟରେ ଦୀର୍ଘ ୧୫ ବର୍ଷ ବିତି ଯାଇଥିଲେ ହେଁ ଅଦ୍ୟାବଧି ମୁଠେ ମାଟି କି ମୋରମ ପଡିନାହିଁ । ଯାହା ଫଳରେ ରାସ୍ତାଟି ଖାଲଖମାରେ ପୂର୍ଣ୍ଣ ହୋଇଯାଇଛି । ଏହି ରାସ୍ତା ଦେଇ ୪ରୁ ୫ଟି ଗ୍ରାମର ଜନସାଧାରଣ ପ୍ରତ୍ୟେକ ଦିନ ଗାଡି, ମୋଟର ସାଇକେଲ ଯୋଗେ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ସାଧାରଣତଃ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏହି ଖାଲଖମା କାଦୁଅ ଭରା ରାସ୍ତାରେ ପ୍ରତ୍ୟେକ ଦିନ ଯିବା ଆସିବା ପାଇଁ ବାଧ୍ୟ ହୋଇଥାନ୍ତି । ଏହି ରାସ୍ତାର ଅବସ୍ଥା ଅତି ଶୋଚନୀୟ ଯୋଗୁଁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବାର ନଜିର ରହିଛି । ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରାଇ ରାସ୍ତାର ପୁର୍ନଃଉଦ୍ଧାର କରାଇବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି ।