
ପୁରୀ, ପୁରୀ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ କାର୍ଯ୍ୟାଳୟ ସାକ୍ଷୀଗୋପାଳରେ ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଗବେଷଣା ବିଭାଗର ଅଧ୍ୟକ୍ଷ ପ୍ରଫେସର ଡ଼ା. ସଂଗ୍ରାମ କେଶରୀ ସ୍ଵାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ସମାରୋହକୁ ଉଦଘାଟନ କରିଥିଲେ। ବାରମ୍ବାର ପ୍ରାକୃତିକ ବିପତ୍ତି କୃଷକମାନଙ୍କର ଅର୍ଥନୈତିକ ଦୁର୍ଗତିର କାରଣ ହେଉଛି, ତେଣୁ କୃଷକ ମାନେ ଆଧୁନିକ ଜ୍ଞାନ କୌଶଳ, ଅତ୍ୟାଧୁନିକ ଯନ୍ତ୍ରପାତି ଉପଯୋଗ ଜରିଆରେ କିପରି ଉନ୍ନତ ପ୍ରଣାଳୀ ଚାଷ ପ୍ରତି ସଚେତନ ହୋଇପାରିବେ ଏନେଇ ସୂଚନା ଦେଇଥିଲେ। ପୁରୀ କୃଷି ବିଜ୍ଞାନ କେନ୍ଦ୍ର ର ବରିଷ୍ଠ ବୈଜ୍ଞାନିକ ତଥା ମୂଖ୍ୟ ଡ଼ା. ସଞ୍ଜୟ କୁମାର ମହାନ୍ତି ସଵୁ ପ୍ରତିକୂଳ ପରିସ୍ଥିତିରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ମାନେ ଚାଷୀମାନଙ୍କ ସହିତ ସବୁଵେଳେ ରହିଛନ୍ତି ଵୋଲି ପ୍ରତିଶ୍ରୁତି ଦେଇଥିଲେ। ବେୟର କ୍ରପ ସାଇନ୍ସ (ଓଡ଼ିଶା ଶାଖା), ସିଶା, ଇରି ଏବଂ କୃଷି ବିଜ୍ଞାନ କେନ୍ଦ୍ର ପୁରୀ ଜିଲ୍ଲାର କୃଷକ ମାନଙ୍କ ସହ ଯନ୍ତ୍ର ମାଧ୍ୟମରେ ଧାଡ଼ି ବୁଣା ଧାନ ଚାଷଜନିତ ଜ୍ଞାନ କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବରେ ଵେୟର ଶସ୍ୟ ବିଜ୍ଞାନର ଶସ୍ୟ ବିଶେଷଜ୍ଞ ଡା. ବିମଳ ପାଣ୍ଡେ ଧାଡ଼ି ବୁଣା ଧାନ ଚାଷ ଏବଂ ତାର ରୋଗ ପୋକ ଦମନ ବିଷୟରେ ଅନେକ ତଥ୍ୟ ପ୍ରଦାନ କରିଥିଲେ। ସିସା ପ୍ରକଳ୍ପର ମୁଖ୍ୟ ଡ. ଅଶୋକ ଯାଦବ ଯନ୍ତ୍ରଚାଳିତ ଧାଡ଼ି ବୁଣା ଧାନ ଚାଷ କୃଷକ ମାନଙ୍କ ମଧ୍ୟରେ ଆଦୃତ ହୋଇପାରିବ ବୋଲି ଆଶ୍ଵାସନା ଦେଇଥିଲେ।
ପ୍ରଧାନମନ୍ତ୍ରୀ କୃଷକ ସମାରୋହରେ ପୁରୀ ଜିଲ୍ଲାର କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ସଫଳତା ହାସଲ କରିଥିବା ୨୪ ଜଣ କୃଷି ଉଦ୍ୟୋଗୀ ମାନଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଓ ଉତରୀୟ ଦେଇ ସମ୍ଵର୍ଦ୍ଧିତ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ର, ପୁରୀ ଦ୍ବାରା ଆୟୋଜିତ କୃଷକ ସମାରୋହରେ ୧୧ଟି ବ୍ଲକରୁ ୨୫୦ ରୁ ଉର୍ଦ୍ଧ କୃଷିଜୀବୀ ମହିଳା ଓ କୃଷକ ଯୋଗ ଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ର ର କୃଷି ଯାନ୍ତ୍ରୀକରଣ ବୈଜ୍ଞାନିକ ଡ. ଦିପଶିଖା ପରମଜିତା, ଗୃହ ବିଜ୍ଞାନୀ ଡ. ସୁମିତା ଆଚାର୍ଯ୍ୟ, ସମ୍ପ୍ରସାରଣ ବୈଜ୍ଞାନିକ ଶୋନିତା ରାନୀ ସେଠୀ, କୃଷକ ଭାଇ ଓ ଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ। ଧାନ, ପାନ, ପନିପରିବା, ଫଳ, ଫୁଲ, କଦଳୀ, ଡାଲି, ମାଛ, କୁକୁଡ଼ା, ଵତକ, ଗାଈ ଓ ମହୁଚାଷୀ ଏଵଂ ଜୈବିକ ସାର, କୃଷି ଉପକରଣ ପ୍ରସ୍ତୁତ କାରୀ ମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ହିନ୍ଦୁସ୍ଥାନ ସମାଚାର/ବିଜୟ/ପ୍ରଦୀପ୍ତ