
-
ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ
ଭୁବନେଶ୍ଵର, ଗତକାଲିର ଘୁର୍ଣ୍ଣିବଳୟ ଆଜି ସକାଳ ୮ଟା ୩୦ ପାଖାପାଖି ଉତର-ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତୀ ଅଂଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କି.ମି. ଯାଏଁ ବ୍ୟାପିଛି । ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତୀ ଅଂଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଗତକାଲି ତୁଳନାରେ ଅଧିକ ଘନୀଭୂତ ହେବାରେ ଲାଗିଛି । ଏହି ଘୁର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଂଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରବର୍ତୀ ସମୟରେ ପଶ୍ଚିମ-ଉତରପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏଥିସହ ପରବର୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଗୋଟିଏ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି ।