
ଗଞ୍ଜାମ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଯତ୍ନ, ଥଇଥାନ ଓ ଶିକ୍ଷାଦାନ ଦିଗରେ କାମ କରୁଥିବା ଗଞ୍ଜାମ ଜିଲ୍ଲା ଛତ୍ରପୁର ସ୍ଥିତ ସମର୍ଥ ଶିକ୍ଷାନୁଷ୍ଠାନର ସମ୍ପାଦକ କେ. ଆନନ୍ଦ ରାଓଙ୍କ କେଳଙ୍କାରୀ ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରଶାସନର ସ୍ଵତନ୍ତ୍ର କମିଟି ତଦନ୍ତ ପରେ ଅନୁଷ୍ଠାନର ୧୦୧ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଂଟକୁ ସିଜ୍ କରିଥିବା ସୂଚନା ମିଳିଛି । ସମ୍ପାଦକ ଆନନ୍ଦ ଦିବ୍ୟାଙ୍ଗ ପିଲାଙ୍କ ନାମରେ ବ୍ୟାଙ୍କ ଆକାଉଂଟ ଖୋଲି ଲକ୍ଷାଧିକ ଟଙ୍କାର କାରବାର ଚଳାଇଥିଲେ ।
ବ୍ୟାଙ୍କର ତଥ୍ୟ ଅନୁସାରେ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ଅଜାଣତରେ ଆନନ୍ଦ ଏହି ବେଆଇନ କାର୍ଯ୍ୟ ଚଳାଇ ଆସୁଥିଲେ । ଛତ୍ରପୁରରେ ଥିବା ୮ଟି ବ୍ୟାଙ୍କରେ ୧୦୧ ଛାତ୍ରଛାତ୍ରୀଙ୍କ ଆକାଉଂଟ ଖୋଲା ଯାଇଥିଲା । ଯେଉଁଥିରେ ସରକାରୀ ଅନୁଦାନ ଜମା ହେଉଥିବା ବେଳେ ଆନନ୍ଦ ସେମାନଙ୍କ ଅଜାଣତରେ ଟଙ୍କା ଉଠାଇ ହଡ଼ପ କରୁଥିଲେ । ଏହି ଅଭିଯୋଗ ସତ ପ୍ରମାଣିତ ହେବା ପରେ ଉକ୍ତ ସମସ୍ତ ଆକାଉଂଟକୁ ଅନୁଧ୍ୟାନ ସହ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସବୁ ଆକାଉଂଟକୁ ସିଜ୍ କରାଯାଇଛି ।