ପାର୍ବଣ ଋତୁର ଆଗମନ ହୋଇ ସାରିଛି। ଏବେ ମଧ୍ୟ ପବିତ୍ର ଧର୍ମ ମାସ କାର୍ତ୍ତିକ ମାସ,ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଦୈନିକ ହଜାର ହଜାର ଯାତ୍ରୀ ଓ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ବସରେ ଆସୁଥିବା ପର୍ଯ୍ୟଟକଟି ପ୍ରଥମେ ବସଷ୍ଟାଣ୍ଡରେ ହିଁ ପାଦ ଦେଇଥାଏ। କିନ୍ତୁ ଦୁଃଖର ବିଷୟ ଆମ ବସଷ୍ଟାଣ୍ଡ ପରିସର ଅତ୍ୟନ୍ତ ଅପରିଷ୍କାର ରହୁଛି। ଯାହା ଫଳରେ ଭକ୍ତ ଓ ପର୍ଯ୍ୟଟକମାନେ ଶ୍ରୀକ୍ଷେତ୍ର ପ୍ରତି ଏକ ନକରାତ୍ମକ ଅନୁଭୂତି ନେଇ ଫେରୁଥିବା ପରିଲକ୍ଷିତ ହେଉଅଛି। ବସଷ୍ଟାଣ୍ଡର ଏହି ଦୁରାବସ୍ତା କିଛି ବିଦେଶୀ ପର୍ଯ୍ୟଟକଙ୍କ ନଜରକୁ ମଧ୍ୟ ଆସିଥିଲା। ଏହି ସମସ୍ତ ବିଷୟକୁ ଦୃଷ୍ଟିରେ ରଖି ଆଜି ଆସୋସିଏସନ ଅଫ ଟ୍ୱିଟର ଆକ୍ଟିଭିଷ୍ଟସ୍ – ଆଟା ପକ୍ଷରୁ ପୁରୀ ବସଷ୍ଟାଣ୍ଡ ପରିସରରେ ଏକ ସମୂହ ସଫେଇ ଅଭିଯାନର ଡାକରା ଦିଆଯାଇଥିଲା। ଶ୍ରୀକ୍ଷେତ୍ର ବାସୀଙ୍କ ସମେତ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇଥିଲେ।
ପ୍ରାତଃରୁ ସମସ୍ତେ ଏକତ୍ରିତ ହୋଇ ସମଗ୍ର ବସଷ୍ଟାଣ୍ଡ ପରିସରକୁ ସଫେଇ କରିବା ସହ ଚୂନ ପକାଇଥିଲେ ଏବଂ ପରିସରକୁ ସଫା ରଖିବା ନିମନ୍ତେ ଯାତ୍ରୀ ଓ ସ୍ଥାନୀୟ ଜନସାଧାରଣଙ୍କର ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ଏହି ପରିପ୍ରେକ୍ଷୀରେ ଚିତ୍ର ଶିଳ୍ପୀ ବିଜୟ ପ୍ରଧାନ ବସଷ୍ଟାଣ୍ଡ ପରିସରରେ ଥିବା ଖମ୍ବ ମାନଙ୍କରେ ପାରମ୍ପରିକ ଚିତ୍ର କରିଥିଲେ,ଯାହା ଆମ ପୁରୀ ବସଷ୍ଟାଣ୍ଡର ସୌନ୍ଦର୍ଯ୍ୟ ବୃଦ୍ଧି କରିଥିଲା। କିଛିଦିନ ତଳେ ରାତ୍ରିରେ ମହିଳା ଯାତ୍ରୀମାନଙ୍କୁ ନିଜ ହୋଟେଲରେ ଆଶ୍ରୟ ଦେଇଥିବା ପ୍ରଭାତ ଚନ୍ଦ୍ର ଜେଠିଙ୍କୁ ଅନୁଷ୍ଠାନ ପକ୍ଷରୁ ସମର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଘରୋଇ ବସ୍ ମାଲିକ ସଂଘ, ନୀଳଗିରି ମୋଟର କର୍ମଚାରୀ ସଂଘ, ଶ୍ରୀ ଜଗନ୍ନାଥ ଅନୁରାଗୀ ଟ୍ରଷ୍ଟ, ଉମ୍ମିଦ ଫାଉଣ୍ଡେସନ, ସ୍ୱଚ୍ଛ ସବୁଜ ମିଶନ ହରେକୃଷ୍ଣପୁର,ଶ୍ରୀଗଣେଶ ବ୍ୟବସାୟୀ ସଂଘ,ଅଜୟ ପ୍ରଧାନ ସଦର ନୋମିନି,ପୁରୀ ପୌରପାଳିକା, ଯାଜପୁରର ଉତ୍ସଗ ଅନୁଷ୍ଠାନ, ଲିଟିଲ ଆଞ୍ଜେଲ ସୋସିଆଲ ସର୍ଭିସେଶ, କେନ୍ଦ୍ରାପଡା ର ତାପସ କୁମାର ସ୍ୱାଇଁ ଓ ଯାଜପୁରର ପ୍ରମୋଦ ସ୍ୱାଇଁ ପ୍ରମୂଖ ସହଯୋଗ କରିଥିଲେ।