-
ରେମୁଣା ହେବ ସାମୂହିକ ବିକାଶର ଏକ ବଳିଷ୍ଠ ଦୃଷ୍ଟାନ୍ତ
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ – ରେମୁଣା ନିର୍ବାଚନ ମଣ୍ଡଳୀ ହେଉଛି ବାଲେଶ୍ଵର ଜିଲ୍ଲାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ। ସେ ଦୃଷ୍ଟିରୁ ବିଗତ ଦିନମାନଙ୍କରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଏଠାରେ ହୋଇଥିବାର ନଜୀର୍ ରହିଛି। ତଥାପି ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀରେ ଆହୁରି ଅନେକ ପ୍ରକାର ମୌଳିକ ସମସ୍ୟା ରହିଛି। ଗମନାଗମନ କ୍ଷେତ୍ରରେ ରାସ୍ତାଘାଟର ସମସ୍ୟା ଏକ ମୁଖ୍ୟ ସମସ୍ୟା। ଏହାଛଡା କୃଷି, ସ୍ଵାସ୍ଥ୍ୟ, ଶିକ୍ଷା ଓ ଶିଳ୍ପ କ୍ଷେତ୍ରରେ ରହିଥିବା ସମସ୍ୟା ଗୁଡିକର ସମାଧାନ ହେବାର ଆବଶ୍ୟକତା ରହିଛି।
ରେମୁଣାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଦିଗରେ ଏଣୁ ନୂତନ ଭାବେ ନିର୍ବାଚିତ ହୋଇଥିବା ବିଜେଡିର ଯୁବ ବିଧାୟକ ସୁଧାଂଶୁ ଶେଖର ପରିଡା ଖୁବ ତତ୍ପରତା ପ୍ରକାଶ କରିଛନ୍ତି।
ଶ୍ରୀ ପରିଡା ଚଳିତ ବିଧାନସଭାରେ ରେମୁଣାକୁ ନେଇ ବହୁ ପ୍ରଶ୍ନ ଉଠାଇଛନ୍ତି। ବିଶେଷ କରି ଦୀର୍ଘ ଦିନ ଧରି ବୃହତ ଶିଳ୍ପ ବିର୍ଲା ଟାୟାର୍ସରେ ଚାଲିଥିବା ସମସ୍ୟା ତଥା ନିଲମ୍ବିତ ଶ୍ରମିକଙ୍କ ବିଷୟରେ ବିଧାୟକ ଶ୍ରୀ ପରିଡ଼ା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହ ସହିତ ‘ଆମ ଗାଁ ଆମ ବିକାଶ’କାର୍ଯ୍ୟକ୍ରମ ପାଇଁ ଥିବା ରହିତାଦେଶ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ରେମୁଣା ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ଥାନାରେ ଗାଡ଼ି ବ୍ୟବସ୍ଥା, ସୋମନାଥପୁର ଶିଳ୍ପ ଅଂଚଳରେ ଏକ ବିଟ ହାଉସ, ରେମୁଣାକୁ ଏନଏସି ମାନ୍ୟତା, ରେମୁଣାରେ ଏକ ସବ୍ ରେଜିଷ୍ଟ୍ରୀ ଅଫିସ ସ୍ଥାପନ, ବିଭିନ୍ନ ଅଂଚଳରେ ରାଜସ୍ବ ନିରୀକ୍ଷକ ଅଫିସ ସ୍ଥାପନ, ଦୁଇଟି ପୂର୍ତ୍ତ ରାସ୍ତାକୁ ରାଜପଥର ମାନ୍ୟତା, ରେମୁଣାରେ ଏକ ଉଡନ୍ତା ପୋଲ ନିର୍ମାଣ, କୃଷି ଅଧିକାରୀ ପଦବୀ ପୂରଣ, ଭୂମିହୀନଙ୍କୁ ପଟ୍ଟା ପ୍ରଦାନ, ରେମୁଣାରେ ଏକ ଜେଏମଏଫସି କୋର୍ଟ ପ୍ରତିଷ୍ଠା, ରେମୁଣାରେ ଶିଶୁ ଓ ମହିଳା ବିକାଶର ଆଉ ଏକ ଆଇସିଡିଏସ ପ୍ରତିଷ୍ଠା ଭଳି ଅନେକ ଗୁଡ଼ିଏ ଗୁରୁତ୍ବପୂର୍ଣ୍ଣ ବିଷୟରେ ବିଧାୟକ ଶ୍ରୀ ପରିଡ଼ା ବିଧାନସଭାରେ ଭାଗ ନେଇ ଆଲୋଚନା କରିଥିବା ଜଣା ଯାଇଛି।
ବିଧାୟକ ଶ୍ରୀ ପରିଡ଼ା ରେମୁଣାରେ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ ସକ୍ରିୟ ଭାବେ ନିଜର ପ୍ରୟାସ ଆରମ୍ଭ କରିଥିବାରୁ ସ୍ଥାନୀୟ ଜନସାଧାରଣଙ୍କ ଭିତରେ ଆଶା ସଞ୍ଚାର ହୋଇଛି। ତାଙ୍କର ଏଭଳି ଆନ୍ତରିକତା ଏବଂ ନିଜ ଅଞ୍ଚଳ ପାଇଁ ପଦକ୍ଷେପ ନେବା ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ପ୍ରଶଂସାମୂଳକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।