କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଦୀର୍ଘ ଦୁଇବର୍ଷର କୋଭିଡ ବ୍ୟବଧାନ ପରେ ପୁଣି ଐତିହ୍ୟ ଗ୍ରାମ ରଘୁରାଜପୁର କଳାକ୍ଷେତ୍ର ଅନୁଷ୍ଠାନ ଦ୍ଵାରା ବଡ଼ ଧୁମଧାମ ରେ ପାଳିତ ହୋଇଯାଇଛି ‘କୁମାର ଉତ୍ସବ -22’ । ନାଚ ଗୀତ, ସଙ୍ଗୀତର ତାଳେ ତାଳେ ପିଲାମାନଙ୍କର ପୁଚିଖେଳ ଓ ଡିଆଁ ଦଉଡ଼ି ଖେଳ ବେଶ୍ ଚିତ୍ତାକର୍ଷକ ଥିଲା। ଅଭିନ୍ନ ସୁନ୍ଦର ଗୋଟିପୁଅ ନୃତ୍ୟ ପରିଷଦର କୁନିକୁନି ପିଲାମାନଙ୍କ ଦ୍ଵାରା ଗୋଟି ପୁଅ ନୃତ୍ୟ ଓ ସତ୍ୟବାଦୀ ସଙ୍ଗୀତ ମହାବିଦ୍ୟାଳୟର କଳାକାର ମାନଙ୍କ ଦ୍ଵାରା ପରିବେଷିତ ଓଡିଶୀ ନୃତ୍ୟ ଉପସ୍ଥିତ ସମସ୍ତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଦାଶ ଆଣ୍ଡ ଦାଶ ଡାନ୍ସ ଗ୍ରୁପ ଦ୍ଵାରା ପରିବେଷିତ ସଙ୍ଗୀତ ନାଟକ ଭିତ୍ତିକ ଚିତ୍ତାକର୍ଷକ ପରିବେଷଣ ଦର୍ଶକମାନଙ୍କୁ ଏକ ଅପୂର୍ବ ଆନନ୍ଦରେ ବାନ୍ଧିରଖିଥିଲା ।
ଏହି ବର୍ଣ୍ଣାଢ଼ କୁମାର ଉତ୍ସବରେ ଅତିଥି ଭାବରେ ଯୋଗ ଦେଇଥିଲେ ପୁରୀ ସଦର ବ୍ଲକର ଚେୟାରମେନ ଶ୍ରୀଯୁକ୍ତ ଦିବାକର ପାତ୍ର,ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ମହେନ୍ଦ୍ର କୁମାର ମହାପାତ୍ର, ଗୁଜରାଟର ସୁନାମଧନ୍ୟ ଶିଳ୍ପୀଗୁରୁ ଶ୍ରୀଯୁକ୍ତ ମୁକେଶ ମୟୁରିଆ, ନିର୍ମଳା କୃତି ବିକାଶ ଟ୍ରଷ୍ଟ ର ଚେୟାରମେନ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପଟ୍ଟନାୟକ,କଳାକ୍ଷେତ୍ରର ଚେୟାରମେନ ଶ୍ରୀଯୁକ୍ତ କୈଳାଶ ଚନ୍ଦ୍ର ମହାରଣା ଓ ସମ୍ପାଦକ ଶ୍ରୀଯୁକ୍ତ ସୁଦର୍ଶନ ସ୍ୱାଇଁ, ପରମ୍ପରା ଅନୁଷ୍ଠାନ ର ସଂପାଦକ ଶ୍ରୀଯୁକ୍ତ ବିଶ୍ଵନାଥ ସ୍ୱାଇଁ। ସଭାପତିତ୍ବ କରିଥିଲେ କୁମାର ଉତ୍ସବର ସଭାପତି ଶ୍ରୀଯୁକ୍ତ ଲକ୍ଷ୍ମୀଧର ସୁବୁଦ୍ଧି ଓ ମଞ୍ଚ ପରିଚାଳନା କରିଥିଲେ ଉଦଘୋଷକ ଶ୍ରୀଯୁକ୍ତ ଅଞ୍ଜନ କୁମାର ହୋତା।
ବିଭିନ୍ନ କ୍ଷେତ୍ରରେ ପାରିଦର୍ଷିତା ଲାଭ କରିଥିବା ଶ୍ରୀଯୁକ୍ତ ବିପିନ ବିହାରୀ ସାହୁ , ସଂପାଦକ ୱାର୍ଲ୍ଡ ଏକ୍ଟ , ସଂସ୍କୃତି ପ୍ରେମୀ ଓ ସମାଜ ସେବୀ ଶ୍ରୀଯୁକ୍ତ ଶ୍ୟାମ ପ୍ରକାଶ ସେନାପତି, ମଙ୍ଗଳପୁର ନୃତ୍ୟଗୁରୁ ଶ୍ରୀଯୁକ୍ତ ଜଗନ୍ନାଥ ମଲ୍ଲିକଙ୍କୁ ‘କୁମାର ଉତ୍ସଵ -୨୨’ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଅତିଥିମାନେ ତାଙ୍କର ଅଭିଭାଷଣରେ ଏହି ଐତିହ୍ୟ ଗ୍ରାମ ରଘୁରାଜପୁର ର କୀର୍ତ୍ତି ଓ ଗାରିମାକୁ ଆହୁରି କିପରି ବିଶ୍ବସ୍ତରୀୟ କରାଯାଇପାରିବ ତାହାରି ଉପରେ ଗୁରୁତ୍ବ ଦେଇଥିଲେ ।