
ନୂଆଦିଲ୍ଲୀ, କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୱାଶିଂଟନ ଡିସିରେ ଅନୁଷ୍ଠିତ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ମୁଖ୍ୟାଳୟଠାରେ ବାର୍ଷିକ ବୈଠକ ୨୦୨୨ ବେଳେ ଆୟୋଜିତ ଅନ୍ତର୍ଜାତୀୟ ମୁଦ୍ରା ଓ ଆର୍ଥିକ କମିଟି (ଆଇଏମଏଫସି) ବୈଠକରେ ଯୋଗଦେଇଛନ୍ତି ।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ଆଇଏମଏଫସିର ବୈଠକ ଏଭଳି ସମୟରେ ହେଉଛି ଯେବେ କି ବୈଶ୍ୱିକ ଅର୍ଥନୈତିକ ପରିଦୃଶ୍ୟ ଅନେକ ସମସ୍ୟା ଘେରରେ ରହିଛି । ସେଗୁଡ଼ିକ ମଧ୍ୟରେ ବୃହତ ଅର୍ଥନୀତିଗୁଡ଼ିକରେ ପ୍ରମୁଖ ନକାରାତ୍ମକ ରିସ୍କ-ଅଭିବୃଦ୍ଧି କୈନ୍ଦି୍ରକ ମାନ୍ଦାବସ୍ଥା, ବର୍ତ୍ତମାନ ଜାରିରହିଥିବା ଭୂ-ରାଜନୈତିକ ପରିସ୍ଥିତି ଯୋଗୁ ସୃଷ୍ଟ ସୀମାପାର ପ୍ରଭାବ, ଖାଦ୍ୟ ଓ ଶକ୍ତି ମୂଲ୍ୟ ବୃଦ୍ଧି ଯୋଗୁ ସୃଷ୍ଟି ହୋଇଥିବା ମୁଦ୍ରାସ୍ଫୀତିଜନିତ ଚାପ ଯାହା କି ଦୁର୍ବଳ ଅର୍ଥନୀତିଗୁଡ଼ିକ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ।
ଶ୍ରୀମତୀ ସୀତାରମଣ କହିଛନ୍ତି, ବୈଶ୍ୱିକ ବାଧାବିଘ୍ନ ସତ୍ତ୍ୱେ ଭାରତୀୟ ଅର୍ଥ ବ୍ୟବସ୍ଥା ଯଥାଯଥ ସ୍ଥିତିରେ ରହିବ ଏବଂ ୨୦୨୨-୨୩ ଆର୍ଥିକବର୍ଷରେ ୭% ଅଭିବୃଦ୍ଧି ହାସଲ କରିବ । ଅନୁକୂଳ ଘରୋଇ ନୀତି ସଂକ୍ରାନ୍ତ ବାତାବରଣ ଏବଂ ଅଭିବୃଦ୍ଧିକୁ ସମୃଦ୍ଧ ପାଇଁ ପ୍ରମୁଖ ଢାଞ୍ଚାଗତ ସଂସ୍କାର ଉପରେ ସରକାରଙ୍କ ନିରନ୍ତର ଫୋକସର ଫଳସ୍ୱରୂପ ଏଭଳି ହୋଇଥିବା ସେ କହିଛନ୍ତି । ଭାରତ ସରକାର ମୁଦ୍ରାସ୍ଫୀତି ପରିଚାଳନା ସାଙ୍ଗକୁ ଅଭିବୃଦ୍ଧିକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେଇଥିବା ଅର୍ଥମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ‘‘ଦେଶର ବିଶାଳ ସାଧାରଣ ବଣ୍ଟନ ନେଟୱର୍କ ଜରିଆରେ ଆମେ ଗତ ୨୫ ମାସ ଧରି ୮୦୦ ନିୟୁତରୁ ଅଧିକ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ନିମନ୍ତେ ମାଗଣାରେ ଖାଦ୍ୟଶସ୍ୟ ଉପଲବ୍ଧତାକୁ ସୁନିଶ୍ଚିତ କରିଛୁ ।’’
ଶ୍ରୀମତୀ ସୀତାରମଣ କହିଛନ୍ତି, ଗରିବଙ୍କ ନିକଟରେ ଆର୍ଥିକ ସେବା ଅନ୍ତିମ ମାଇଲ ପର୍ଯ୍ୟନ୍ତ ପହଞ୍ଚାଇବା ଉପରେ ସରକାରଙ୍କ ପ୍ରମୁଖ ପ୍ରାଥମିକତା ରହିଆସିଛି ଏବଂ ଭାରତର ଡିଜିଟାଲ ଲୋକକୈନ୍ଦି୍ରକ ଭିତ୍ତିଭୂମି ଏଥିରେ ବିଶେଷ ସହାୟକ ହୋଇପାରିଛି । ଅର୍ଥମନ୍ତ୍ରୀ କହିଛନ୍ତି, ଆଜି ଡିଜିଟାଲ ପେମେଣ୍ଟ ଅଭିନବକରଣ କ୍ଷେତ୍ରରେ ଭାରତ ବିଶ୍ୱରେ ଅଗ୍ରଣୀ ରହିଛି ଏବଂ ବିଶ୍ୱରେ ଆମର ଦେଣନେଣ ଖର୍ଚ୍ଚ ସବୁଠୁ କମ୍ ରହିଛି ।