
ନୂଆଦିଲ୍ଲୀ, ଭାରତୀୟ କୃଷି ଗବେଷଣା ପରିଷଦ – କେନ୍ଦ୍ରୀୟ କୃଷିରତ ମହିଳା ପ୍ରତିଷ୍ଠାନ (ଆଇସିଏଆର-ସିଆଇଡବ୍ଲୁଏ), ଭୁବନେଶ୍ବର ପକ୍ଷରୁ ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ ହୋଇଯାଇଛି। କୃଷି କ୍ଷେତ୍ରରେ ମହିଳା ଚାଷୀଙ୍କ ଉଲ୍ଲେଖନୀୟ ଯୋଗଦାନ ଏବଂ ଅଂଶଗ୍ରହଣକୁ ପାଳନ କରିବା ଲାଗି ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ଏକ ଅତିରିକ୍ତ ମହତ୍ବ ରହିଛି କାରଣ ଅପପୁଷ୍ଟି ଦୂରୀକରଣ ଏବଂ ପୋଷଣ ସୁରକ୍ଷା ବଢ଼ାଇବା ଲାଗି ମହିଳା ଚାଷୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଏଥର ଗୁରୁତ୍ବାରୋପ କରାଯାଇଛି।
ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ କୈଳାସ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନିଜର ଅଭିଭାଷଣରେ ସେ ଦେଶବ୍ୟାପୀ କୃଷି କ୍ଷେତ୍ରରେ ମହିଳା ଚାଷୀଙ୍କ ଉଲ୍ଲେଖନୀୟ ଯୋଗଦାନକୁ ପ୍ରଶଂସା କରିବା ସହିତ ସେମାନଙ୍କୁ ଅନ୍ୟମାନଙ୍କ ପାଇଁ ପ୍ରେରଣା ବୋଲି କହିଥିଲେ । ମହିଳା ଚାଷୀଙ୍କ ସମ୍ଭାବନାକୁ ବଢ଼ାଇବା ଲାଗି କୃଷି କ୍ଷେତ୍ରରେ ଲିଙ୍ଗଗତ ସମାନତା ଉପରେ ସେ ଜୋର ଦେଇଥିଲେ। ଏହାବ୍ୟତୀତ ସେ ପୁଷ୍ଟିସାଧନ ବୃଦ୍ଧିର ଆବଶ୍ୟକତା ଉପରେ ଜୋର ଦେବା ସହିତ ଗ୍ରାମୀଣ ପରିବାରର ସାମଗ୍ରିକ ବିକାଶ ପାଇଁ ଏହି କ୍ଷେତ୍ରରେ ବହୁମୁଖି ପ୍ରୟାସର ଆବଶ୍ୟକତା ରହିଛି ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ଡିଏଆରଇ ସଚିବ ତଥା ନୂଆଦିଲ୍ଲୀ ଆଇସିଏଆରର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ। ମହିଳା ଚାଷୀଙ୍କୁ ମୁଖ୍ୟଧାରାକୁ ଆଣିବା ଲାଗି ଅନ୍ୟ ଆଇସିଏଆର ସଂସ୍ଥାନ ସହିତ ସହଭାଗିତା ଭିତରେ ଗବେଷଣା କାର୍ଯ୍ୟ କରିବା ଉପରେ ସେ ଜୋର ଦେଇଥିଲେ। ଆହୁରି ସେ କହିଥିଲେ ଯେ, ଆଇସିଏଆର-ସିଆଇଡବ୍ଲୁଏ ଏପରି ଏକ ମଡେଲ ବିକଶିତ କରିବା ଉଚିତ ଯାହାକି ମହିଳା ସଶକ୍ତିକରଣ ପାଇଁ ବିଶ୍ବସ୍ତରରେ ଗ୍ରହଣୀୟ ହୋଇପାରିବ ।