
ଖୋର୍ଦ୍ଧା, ୧୬ନମ୍ବର ଜାତୀୟ ରାଜପଥର ନାଚୁଣି କଉଡିଖଣି ଠାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ବଡପଦର ଗ୍ରାମର ସ୍ଵର୍ଗତ ବ୍ରଜବନ୍ଧୁ ପଲେଇଙ୍କ ପୁତ୍ର ମୋହନ ପଲେଇ (୨୫) ।
ସୂଚନା ମୁତାବକ, ରବିବାର ପୂର୍ବାହ୍ନରେ ବଡପଦର ଗ୍ରାମର ମୋହନ ପଲେଇ (୨୫) ସ୍କୁଟି ଯୋଗେ ନିଜ ଗ୍ରାମରୁ କଉଡ଼ିଖଣି ଛକ ଅତିକ୍ରମ କରୁଥିବା ବେଳେ ଭୁବନେଶ୍ଵରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଦ୍ରୁତଗାମୀ ଅଜଣା ଗାଡ଼ି ମୋହନଙ୍କୁ ଶକ୍ତ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ମୋହନଙ୍କ ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ଉତ୍ୟେକ୍ତ ଗ୍ରାମବାସୀ ସେଠାରେ ରାସ୍ତା ଅବରୋଧ କରିଥିଲେ । ଖବର ପାଇ ସରପଂଚଙ୍କ ପ୍ରତିନିଧି ଓ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଂଚି ଉତ୍ୟେକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାଣପୁର ମେଡିକାଲକୁ ପଠାଇଛି ପୋଲିସ । ଦୁର୍ଘଟଣା ଘଟାଇଥିବା ଅଜଣା ଗାଡ଼ିକୁ ଧରିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।
ପ୍ରକାଶ ଥାଉକି, ନାଚୁଣୀ କଉଡ଼ିଖଣି ଛକରେ ଅଣ୍ଡରପାସ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି ।ଏପରିକି ଦୁର୍ଘଟଣାରେ ଅନେକଙ୍କ ଜୀବନ ଯାଇଛି । ବାରମ୍ବାର ସ୍ଥାନୀୟ ଲୋକେ ଅଣ୍ଡରପାସ ନିର୍ମାଣ ପାଇଁ ଦାବି କରୁଥିଲେ ମଧ୍ୟ ଏଠାରେ ଅଣ୍ଡରପାସ ନିର୍ମାଣ କରାଯାଉନାହିଁ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।