ଭବାନୀପାଟଣା, କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଚାଷୀମାନଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି। ଏବଂ ଲକ୍ଷ୍ୟ ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। ଚାଷ କେମିତି ଭଲ ହେବ ଚାଷି କେମିତି ଲାଭବାନ ହେବେ ଚାଷିଙ୍କ ପରିବାର ପିଲାଛୁଆ କେମିତି ଭଲରେ ରହିବେ ବୋଲି ସରକାର ଚିନ୍ତା କରୁଥିବା ବେଳେ ଏଠାରେ କିଛି ଓଲଟା ଚିତ୍ର ଦେଖିବାକୁ ମିଳିଛି।
କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଲକ ର ଦୁର୍ଗମ ଅଞ୍ଚଳ ଗୋପାଳପୁର ପଂଚାୟତ ଅନ୍ତର୍ଗତ ଡାକ କୋଟା ଠାରେ ୨୦୧୮ -୧୯ ମସିହାରେ ଇନ୍ଦ୍ରାବତୀ ନଦୀରେ ନିର୍ମାଣ ହୋଇଥିଲା ଏହି ଉଠା ଜଳସେଚନ ପ୍ରକଳ୍ପ। ପନ୍ଦର ଲକ୍ଷ କୋଡ଼ିଏ ହଜାର ଟଙ୍କା ବ୍ଯୟ ବରାଦରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଦ୍ଵାରା ପ୍ରାୟ ୨୦ ହେକ୍ଟର ଚାଷ ଜମିରେ ଜଳସେଚନ କରାଯିବା ନେଇ ଲକ୍ଷଧାର୍ଯ୍ୟ କରାଯାଇଥିଲା। ହେଲେ ବିଦୁତ୍ ଖମ୍ବ, ବିଦ୍ୟୁତ୍ ତାର, ଟ୍ରାନ୍ସଫର୍ମର, ମୋଟର, ଷ୍ଟାଟର, ପେନାଲବୋର୍ଡ, ପାଇପ ବିଛା ହୋଇ ପାଣି ବାହାରିବା ପାଇଁ ଏଣ୍ଟେକ୍ ମଧ୍ୟ ତିଆରି ହୋଇଥିବା ଚିତ୍ରରେ ଦେଖିବାକୁ ମିଳୁଛି। ହେଲେ ଦୁର୍ଭାଗ୍ୟର ବିଷୟ ଏଠାରେ ଦାୟିତ୍ଵରେ ଥିବା ବିଭାଗୀୟ ଅଧିକାରମାନଙ୍କ ଉଦାସୀନ ମନୋଭାବ ଏବଂ ଠିକାଦାର ପୋଷଣ ନୀତି ଯୋଗୁଁ ନିର୍ମାଣ ହୋଇଥିବା ପ୍ରକଳ୍ପ ଆରମ୍ଭ ଦିନ ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ବର୍ଷ ପୂର୍ଣ ହେବାକୁ ବସିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିନାହିଁ କି ବୁନ୍ଦାଏ ପାଣି ମଧ୍ୟ ପଡ଼ିନାହିଁ । ଯାହାଫଳରେ ଅଚଳ ଅବସ୍ଥାରେ ପଡିରହି ପ୍ରକଳ୍ପ ଖତ ଖାଇବାକୁ ବସିଲାଣି। ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି। ଏବଂ ଚାଷି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ବିଡିଓ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଏବଂ ସରପଞ୍ଚ ଠାରୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ପାରିନାହିଁ ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ଚାଷୀ।
ତେବେ ଏଠାରେ ପ୍ରଶ୍ନ ଉଠୁଛି, ସରକାରି ବାବୁମାନେ କଣ କରୁଛନ୍ତି ଏବଂ ଚାଷି ଅଭିଯୋଗ କରିବା ସତ୍ବେ କାହିଁକି ଚୁପ୍ ରହୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ଦେଖାଯାଉ ସରକାରି ବାବୁ ମାନଙ୍କ ଦୃଷ୍ଟି କେବେ ପଡୁଛି ନିରୀହ ଚାଷିଙ୍କ ଉପରେ।