ଭଦ୍ରକ, ବିଦ୍ୟାଳୟରେ ପ୍ରାର୍ଥନା କରୁଥିବା ବେଳେ ଟଳି ପଡିଲେ ଛାତ୍ରୀ । ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହାୟତାରେ ତାଙ୍କୁ ପ୍ରଥମେ ଧାମନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ ଅଧିକ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀ ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ । ମୃତ ଛାତ୍ରୀ ଜଣକ ହେଲେ ମନିଷା ବେହୁରିଆ । ସେ ନବମ ଶ୍ରେଣୀରେ ପଢ଼ୁଥିଲେ । ମନିଷାଙ୍କ ଘର ରାଧାବଲ୍ଲଭପୁର ପଂଚାୟତ ଅନ୍ତର୍ଗତ କାଳିସାହିରେ ବୋଲି ଜଣାଯାଇଛି ।
ଆଜି ଶନିବାର ସକାଳୁଆ ସ୍କୁଲ ଥିଲା । ମନିଷା ସବୁଦିନ ଭଳି ସ୍କୁଲ ଯାଇଥିଲେ । ବିଦ୍ୟାଳୟ ପରିସରରେ ପ୍ରାର୍ଥନା ସଭା ଚାଲିଥିବା ବେଳେ ହଠାତ୍ ସେ ଅଚେତ୍ ଅବସ୍ଥାରେ ତଳେ ପଡି ଯାଇଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମନିଷାଙ୍କର କିପରି ମୃତ୍ୟୁ ଘଟିଲା ତା’ର କାରଣ ଅଦ୍ୟାବଧି ଅସ୍ପଷ୍ଟ ରହିଛି । ଏ ସଂକ୍ରାନ୍ତରେ ଭଦ୍ରକ ଟାଉନ୍ ଥାନା ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଛି । ମୃତ ଛାତ୍ରୀଙ୍କ ଶବ ଜବତ କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି । ଅନ୍ୟପକ୍ଷରେ ମନିଷାଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି ।