ଭୁବନେଶ୍ୱର, ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ୨୪ତମ ଜାତୀୟ ମହା ଅଧିବେଶନ ବା ପାର୍ଟି କଂଗ୍ରେସ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ଆଜିଠାରୁ ଆରମ୍ଭ ହୋଇଛି । ଏହା ୧୮ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ମହାଅଧିବେଶନରେ ଆଗାମୀ ୩ ବର୍ଷ ପାଇଁ ପାର୍ଟିର ରାଜନୈତିକ ରଣନୀତି ଓ ରଣକୌଶଳ ନିର୍ଦ୍ଧାରଣ କରାଯିବା ସହିତ ପାର୍ଟିର ସାଙ୍ଗଠନିକ ପ୍ରସ୍ତାବକୁ ଚୂଡ଼ାନ୍ତ କରାଯାଇ ନୂତନ ଜାତୀୟ ପରିଷଦ ଓ କର୍ମକର୍ତା ନିର୍ବାଚନ କରାଯିବ । ଏହି ପାର୍ଟି କଂଗ୍ରେସରେ ଭାରତର ସମସ୍ତ ରାଜ୍ୟରୁ ପ୍ରାୟ ୧ ହଜାର ନିର୍ବାଚିତ ପ୍ରତିନିଧି ଓ ବିଶ୍ୱର ୪୭ଟି ଦେଶର ଭ୍ରାତୃପ୍ରତିମ ପ୍ରତିନିଧି ଅଂଶ ଗ୍ରହଣ କରୁଛନ୍ତି । ଓଡ଼ିଶାରୁ ୨୮ଜଣ ପ୍ରତିନିଧି ଭାବରେ ଯୋଗ ଦେଇଛନ୍ତି ।
ଏହି ଉପଲକ୍ଷେ ଦେଶବ୍ୟାପୀ ପାର୍ଟିର ସମସ୍ତ ଶାଖା ଓ ଅଂଚଳରେ ଲାଲ୍ ପତାକା ଉତୋଳନ କରାଯାଇଛି । ସିପିଆଇ ଭୁବନେଶ୍ୱର ଅଂଚଳ କମିଟି ତରଫରୁ ଭଗବତୀ ଭବନଠାରେ ପତାକା ଉତୋଳନ କରାଯାଇଥିଲା । ଉତ୍ସବରେ ଭୁବନେଶ୍ୱର ଅଂଚଳ କମିଟିର ସମ୍ପାଦକ ସୁର ଜେନା ସଭାପତିତ୍ୱ କରିଥିଲେ ଏବଂ ଭୁବନେଶ୍ୱର ଶାଖାର ପ୍ରଥମ ସମ୍ପାଦକ ବୟୋଜ୍ୟେଷ୍ଠ କମ୍ୟୁନିଷ୍ଟ ରମେଶ ପ୍ରଧାନ ଲାଲ ପତାକା ଉତୋଳନ କରିଥିଲେ । ଏହି ଉତ୍ସବରେ ଏଆଇଟିୟୁସିର ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ, ସିପିଆଇ କେଂଟ୍ରାଲ କମିଶନ ସଭ୍ୟ ବସନ୍ତ ପାଇକାୟ, କୈଳାସ ପୁହାଣ ଓ ଶଙ୍କର ବାରିକ ପ୍ରମୁଖ ବହୁ ସାଥୀ ଯୋଗ ଦେଇଥିଲେ । ଦେଶର ଘଡ଼ିସନ୍ଧି ସମୟରେ ସମସ୍ତ ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଓ ବାମପନ୍ଥୀ ଶକ୍ତି ଐକ୍ୟବଦ୍ଧ ହେବାକୁ ଆହ୍ୱାନ ଦେଇଥିଲେ ।