ଭୁବନେଶ୍ୱର, ରାଜ୍ୟରେ ନକଲି ଔଷଧ କାରବାର ମାମଲା ସାମ୍ନାକୁ ଆସିବା ପରେ ବାହାର ରାଜ୍ୟରୁ ମେଡିସିନ୍ କିଣା ଉପରେ ଲାଗିଛି କଟକଣା । କଟକଣା ଲଗାଇଛି ଓଡିଶା କେମିଷ୍ଟ ଆଣ୍ଡ ଡ୍ରଗ୍ ଆସୋସିଏସନ୍ । ଏଣିକି ଓଡ଼ିଶା ବାହାରୁ ମେଡିସିନ କିଣା ଉପରେ ଲାଗିବ କଟକଣା । ସି ଆଣ୍ଡ ଏଫ ଏବଂ ସୁପର ଷ୍ଟକିଷ୍ଟ ବିନା ବାହାର ରାଜ୍ୟରୁ ଯେ କୌଣସି ଫାର୍ମରୁ ଯେକେହି ଔଷଧ କିଣିଲେ, ସେମାନଙ୍କୁ ସଂଘ ପକ୍ଷରୁ ବହିଷ୍କାର କରିବାକୁ ନିଷ୍ପତି ନିଆଯାଇଛି ।
ଉତ୍କଳ କେମିଷ୍ଟ ଆସୋସିଏଶନର ଜେନେରାଲ ସେକ୍ରେଟାରୀ ପ୍ରଶାନ୍ତ ମହାପାତ୍ର କହିଛନ୍ତି, ରାଜ୍ୟ ବାହାରୁ ମାଲ୍ ଆଣିବୁନି କି ବିକିବୁ ନାହିଁ । କେବଳ ଅନୁମୋଦନପ୍ରାପ୍ତ ଷ୍ଟକିଷ୍ଟ ଓ ସି ଆଣ୍ଡ ଏଫ ଦ୍ୱାରା କାରବାର ହେବ । ସେଥିରେ ପ୍ରାୟ ୯୫% ନକଲି ମେଡିସିନ ଚାଲାଣକୁ ରୋକା ଯାଇପାରିବ । ରାଜ୍ୟ ବାହାରୁ ଭଲ ମେଡିସିନ ସାଙ୍ଗକୁ ନକଲି ବି ଆସୁଛି । ଏପରି କ୍ଷେତ୍ରରେ ଉତ୍ପାଦନକାରୀ-ସି ଆଣ୍ଡ ଏଫ -ଷ୍ଟକିଷ୍ଟ ଚ୍ୟାନେଲରେ ଆସୁଥିବା ମେଡିସିନ ଶତ ପ୍ରତିଶତ ଠିକ୍ । ତେଣୁ କେବଳ ଏହି ଚ୍ୟାନେଲରେ ଓଡ଼ିଶାରେ ମେଡିସିନ ବିକ୍ରି ହେବ ବୋଲି ନିଷ୍ପତି ନିଆଯାଇଛି । ଯେଉଁମାନେ ଏଥିରେ ରାଜି ନ ହେବେ ଏନେଇ ଡ୍ରଗ୍ କେଂଟ୍ରାଲରଙ୍କୁ ଅବଗତ କରିବୁ । ସେମାନଙ୍କଠାରୁ କିଛି ବି ମାଲ୍ କିଣାବିକା ହେବନି ।
ନିକଟରେ କଟକର ଏକାଧିକ ଅଂଚଳରୁ ଟେଲମା ୪୦ ନକଲି ମେଡିସିନ୍ ଜବତ ହୋଇଥିଲା ।