ଭୁୁବନେଶ୍ୱର, ଉଚ୍ଛେଦ ପ୍ରତିବାଦରେ ଉଠାଦୋକାନୀମାନଙ୍କ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱର ରାଜମହଲ ଛକ ଠାରେ ରାସ୍ତାରୋକ କରାଯାଇଛି । ଗତକାଲି ରାତିରେ ଅଚାନକ ଅଶୋକନଗର ଅଂଚଳରେ ଉଠାଦୋକାନଗୁଡିକୁଭାଙ୍ଗିବା ପ୍ରତିବାଦରେ ଆସନ୍ତା ୧୭ ତାରିଖ ସୋମବାର ଉଠାଦୋକାନୀମାନେ ବିଏମ୍ସି କମିଶନରଙ୍କୁ ଘେରାଉ କରିବେ ବୋଲି ଭୁବନେଶ୍ୱର ଉଠା ଦୋକାନୀ ବ୍ୟବସାୟୀ ସଂଘର ସଭାପତି ସୁର ଜେନା ଏକ ପ୍ରେସ୍ ବିବୃତିରେ କହିଛନ୍ତି ।
ସେ କହିଛନ୍ତି ଯେ ଭୁବନେଶ୍ୱରରେ ଏହି ଉଠା ଦୋକାନୀଙ୍କ ସଂଖ୍ୟା ପ୍ରାୟ ୩୫ ହଜାର ଓ ସମଗ୍ର ଦେଶରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ । ଏମାନଙ୍କ ପରିବାରର ଜନସଂଖ୍ୟା ହିସାବ କଲେ ପାଖାପାଖି ୩ କୋଟି ହେବ । ‘ଉଠାଦୋକାନୀ ବିକାଶ ସୁରକ୍ଷା ଓ ପଥ ବିକ୍ରେତା ବିନିୟମ’ଆଇନ ଅନୁସାରେ ଉଠା ଦୋକାନୀମାନଙ୍କର ସର୍ଭେ କରି ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ ପୂର୍ବକ ଥଇଥାନ କରାଯିବା କଥା । ଭୁବନେଶ୍ୱରରେ ଆଂଶିକ ସର୍ଭେ ହୋଇ ୩୫ ହଜାର ଉଠାଦୋକାନୀଙ୍କୁ ପରିଚୟପତ୍ର କିମ୍ବା କୁପନ ଦିଆଯାଇଥିବାବେଳେ ରାସ୍ତା ଉପରୁ ଠେଲା ହଟାଯିବ ବୋଲି କମିଶନର ଘୋଷଣା କରିବା ଆଶ୍ଚର୍ଯ୍ୟଜନକ । ବିଏମ୍ସି କ’ଣ ଭାରତ ବାହାରେ ଓ ଏହାର କମିଶନର କଣ ପାର୍ଲାମେଂଟଠାରୁ ଊର୍ଦ୍ଧ୍ୱରେ ବୋଲି ସୁର ଜେନା ପ୍ରଶ୍ନ କରିଛନ୍ତି । ଏ ପ୍ରକାର ଉଦ୍ଭଟ ଓ ବେଆଇନ ନିଷ୍ପତିକୁ ତୁରନ୍ତ ପ୍ରତ୍ୟାହାର ନ କଲେ ଏହା ବିରୋଧରେ ଆନ୍ଦୋଳନ ସହିତ ଅଦାଲତର ମଧ୍ୟ ଆଶ୍ରୟ ନିଆଯିବ ।