ଭୁୁବନେଶ୍ୱର, ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)ର ଆଂଚଳିକ କମିଟି-୨ର ୨୬ତମ ବୈଠକ କଟକସ୍ଥିତ ଆଇସିଏଆର-ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପଶ୍ଚିମବଙ୍ଗ, ଓଡ଼ିଶା, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ଆଣ୍ଡାମାନ ଓ ନିକୋବାର ଦ୍ୱୀପସମୂହର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।
ଭର୍ଚୁଆଲ ମାଧ୍ୟମରେ ବୈଠକର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କୈଳାସ ଚୌଧୁରୀ କହିଥିଲେ ଯେ, କୃଷି କ୍ଷେତ୍ରରେ ଆମର ଗବେଷଣା ଓ ବିକାଶ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାର ଆବଶ୍ୟକତା ରହିଛି ଏବଂ ଏହାର ଫଳାଫଳକୁ ତୃଣମୂଳସ୍ତରରେ କୃଷକଙ୍କ ନିକଟରେ ପହଂଚାଇବା ଜରୁରି । ଚାଷୀଙ୍କ ଆୟ ବୃଦ୍ଧି କରିବାକୁ ହେଲେ, ଋଣ ବୋଝ କମାଇବାର ଆବଶ୍ୟକତା ରହିଛି । ଏଥିସହିତ ସେମାନଙ୍କୁ ବିହନ, ବଜାର ସୁବିଧା ଯୋଗାଇ ଦେବା ସହ ପଣ୍ୟାଗାର ବ୍ୟବସ୍ଥା କରିବା ମଧ୍ୟ ଜରୁରି । କେନ୍ଦ୍ର ସରକାର ସବୁବେଳେ ସହାୟତା ଦେବା ଲାଗି ପ୍ରସ୍ତୁତ ଅଛନ୍ତି, ତେବେ ରାଜ୍ୟ ସରକାର କ୍ଷେତ୍ରୀୟ ସ୍ତରରେ ସକ୍ରିୟ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ ।
କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଆତ୍ମନିର୍ଭର ଭାରତ ନିର୍ମାଣ କରିବାକୁ ହେଲେ କୃଷି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବାର ଆବଶ୍ୟକତା ରହିଛି । ଏହି ବୈଠକରେ ଅଂଶଗ୍ରହଣ କରିଥିବା ଅଂଶୀଦାରମାନଙ୍କୁ କେନ୍ଦ୍ର ମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହିତ ବୈଠକର ଫଳାଫଳ କୃଷି କ୍ଷେତ୍ରର ବିକାଶ ଦିଗରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇବ ବୋଲି ସେ ଆଶା କରିଥିଲେ । ପ୍ରଗତି ଅନୁଧ୍ୟାନ କରିବା ଲାଗି ଏଭଳି ସମୀକ୍ଷା ଜରୁରି, କିନ୍ତୁ ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ ପାଇଁ ଯୋଜନା ପ୍ରସ୍ତୁତି କରିବାର ଆବଶ୍ୟକତା ରହିଛି । ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ଭଳି ରାଜ୍ୟମାନେ ଅଧିକ ମାତ୍ରାରେ ପ୍ରତିକୂଳ ପାଣିପାଗ ପରିସ୍ଥିତିର ସମ୍ମୁଖିନ ହେଉଛନ୍ତି । ତେଣୁ, ଚାଷୀଙ୍କ ପାଇଁ ଜଳବାୟୁ ଅନୁକୂଳ ସ୍ମାର୍ଟ ପ୍ରଯୁକ୍ତି ବିକଶିତ କରାଯିବାର ଆବଶ୍ୟକତା ରହିଛି ।
କୃଷି ଗବେଷଣା ଓ ଶିକ୍ଷା ବିଭାଗର ସଚିବ ତଥା ଆଇସିଏଆର ମହାନିର୍ଦ୍ଦେଶକ ଡକ୍ଟର ହିମାଂଶୁ ପାଠକ କହିଥିଲେ ଯେ, ଭାରତର ଖାଦ୍ୟ ରପ୍ତାନି ପରିସର ମଧ୍ୟରେ କେବଳ ଧାନ, ଗହମ, ଚିନି, ମାଛ ଆଦି ପ୍ରମୁଖ ଉତ୍ପାଦ ସାମିଲ ରହିଛି । ମାଟିର ଖରାପ ଗୁଣବତା, ଖରାପ ସାର ଉପଯୋଗ, ରୋଗ ପୋକ ସଂଗ୍ରମଣ ଏବଂ ମୌସୁମୀ ବର୍ଷା ଉପରେ ଅତ୍ୟଧିକ ନିର୍ଭରଶୀଳତା କାରଣରୁ ଏହି ଅଂଚଳରେ ଫସଲ ଉତ୍ପାଦନ କମ୍ ରହିଥିବା ନେଇ ସେ ଚିନ୍ତାବ୍ୟକ୍ତ କରିଥିଲେ ।
ଉଦଘାଟନୀ କାର୍ଯ୍ୟକ୍ରମରେ ଆଇସିଏଆର ଅତିରିକ୍ତ ମହାନିର୍ଦ୍ଦେଶକ (ସିସିଏବଂଏଫଏଫସି) ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । କଟକ ଆଇସିଏଆର-ଏନଆରଆରଆଇର ନିର୍ଦ୍ଦେଶକ ଏବଂ ଆରସିଏମ-୨ର ସଦସ୍ୟ ସଚିବ ଧନ୍ୟବାଦ ଦେଇଥିଲେ । ଉଦଘାଟନୀ ଅଧିବେଶନ ଶେଷ ହେବା ପରେ ବୈଷୟିକ ଅଧିବେଶନରେ ରାଜ୍ୟୱାରୀ ସମସ୍ୟା ଏବଂ ଗବେଷଣା ଆବଶ୍ୟକତା/ବିକାଶ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ପୂର୍ବ ବୈଠକରେ ଆଲୋଚନା ପାଇଁ ଉପସ୍ଥାପନ ହୋଇଥିବା ପ୍ରସଙ୍ଗଗୁଡ଼ିକ ଉପରେ କାର୍ଯ୍ୟ ପ୍ରଗତି ରିପୋର୍ଟ (ଏଟିଆର) ଚୂଡ଼ାନ୍ତ କରାଯାଇଥିଲା । ଏହି କ୍ଷେତ୍ରରେ ପଶୁ ସମ୍ପଦ, ଦୁଗ୍ଧ ଉତ୍ପାଦ, ମତ୍ସ୍ୟଚାଷ, ପ୍ରାକୃତିକ ସମ୍ବଳ ପରିଚାଳନା ଓ ମାନବ ସମ୍ବଳ ବିକାଶ ସମେତ କୃଷି ବିକାଶ ପାଇଁ ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା । କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ରାଜ୍ୟ ସହ ଜଡ଼ିତ ନିର୍ଦ୍ଦିଷ୍ଟ ସମସ୍ୟାକୁ ଚିହ୍ନଟ କରିବା ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପୃକ୍ତ ରାଜ୍ୟର ଜାତୀୟ କୃଷି ଗବେଷଣା ପ୍ରଣାଳୀ (ଏନଏସଆରଏସ)ର ସଫଳତା ଓ ଉପଲବ୍ଧି ଜରିଆରେ ଅନୁକୂଳ ସମାଧାନ ଯୋଗାଇ ଦେବା ଦିଗରେ ଏହି ବୈଠକ ସହାୟକ ହୋଇପାରିବ ।