ଭୁୁବନେଶ୍ୱର, ବହୁର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାକୁ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ ହୋଇଛି । ଏହି ମାମଲାରେ ବହୁ ବଡ଼ବଡ଼ିଆ ସମ୍ପୃକ୍ତ ଥିବା ଅଭିଯୋଗ ହେବା ପରେ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ପୋଲିସ୍ ପଛଘୁଂଚା ଦେଉଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏ ନେଇ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । କମିଶନରେଟ ପୋଲିସ୍ ଏହି ମାମଲାର ତଦନ୍ତ ଦିଗକୁ ବାଟବଣା କରୁଥିବାରୁ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯିବାକୁ ଆବେଦନରେ ଉଲ୍ଲେଖ ହୋଇଛି । ଏଥିରେ କେନ୍ଦ୍ର ସରକାର, ଇଡି, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ, ପୁଲିସ ଡିଜି , ଖଣ୍ଡଗିରି ଥାନା ଅଧିକାରୀ ଏବଂ ନୟାପଲ୍ଲୀ ଥାନା ଅଧିକାରୀଙ୍କ ସମେତ ୭ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି ।
ସେପଟେ ଜାମିନ ଆବେଦନ କରିଛନ୍ତି ରହସ୍ୟମୟୀ ମହିଳା ଅର୍ଚ୍ଚନା ନାଗ । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଜାମିନ ଆବେଦନ କରିଛନ୍ତି ଅର୍ଚ୍ଚନାଙ୍କ ଓକିଲ । ପୂର୍ବରୁ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରିନଥିଲା । ଏକାଧିକ ଓକିଲ ଆବେଦନ କରିଥିବାରୁ ଶୁଣାଣି ହୋଇ ନଥିଲା । ଅକ୍ଟୋବର ୧୧ ତାରିଖରେ ଭିଡିଓ କନଫରେନ୍ସିଂ ଜରିଆରେ ଜାମିନ ମାମଲାର ଶୁଣାଣି ହୋଇଥିଲା ।