ଭୁୁବନେଶ୍ୱର,ଆସନ୍ତା ୨୦ ତାରିଖ ବେଳକୁ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆସନ୍ତା୧୮ ତାରିଖ ବେଳକୁ ଉତର ଆଣ୍ଡାମାନସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରେ ଏହା ପଶ୍ଚିମ ଉତର-ପଶ୍ଚିମକୁ ଗତି କରି ଘନୀଭୂତ ହୋଇପାରେ । ୨୦ ତାରିଖରେ ପଶ୍ଚିମ ବଙ୍ଗୋପସାଗରରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି । ଲଘୁଚାପ ରୂପରେଖ କ’ଣ ରହିବ ସେନେଇ ଆକଳନ କରାଯାଇ ନାହିଁ । ତେବେ ବାତ୍ୟା ନେଇ କୌଣସି ସୂଚନା ଜାରି କରାଯାଇ ନାହିଁ ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ , ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କେନ୍ଦୁଝର, ମୟୁରଭଂଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡା , ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୧୫ରୁ ୧୬ ତାରିଖ ମଧ୍ୟରେ ଗଜପତି,ଗଂଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା , ରାୟଗଡା , କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଅପରପକ୍ଷରେ ଆଜି ଉତରାଖଣ୍ଡ, ଉତର-ପ୍ରଦେଶ, ଗୁଜୁରାଟ ର ଅବଶିଷ୍ଟ ଅଂଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ସମ୍ପୂର୍ଣ ଭାବେ ଅପସାରଣ ହୋଇଥିବା ବେଳେ ବିହାର, ଝାଡ଼ଖଣ୍ଡ, ଛତିଶଗଡ ଏବଂ ମହାରାଷ୍ଟ୍ରରୁ ଆଂଶିକ ଭାବେ ଅପସାରଣ ହୋଇଛି । ଆଗାମୀ ୩ ଦିନ ମଧ୍ୟରେ ପୂର୍ବ-ଭାରତ ଆହୁରି ଅନେକ ଅଂଚଳରୁ ମୌସୁମୀ ଅପସାରଣ ହେବା ପାଇଁ ପାଗ ଧୀରେ ଧୀରେ ଅନୁକୂଳ ହେଉଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।