କଟକ, କଟକ ଜିଲ୍ଲା ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ଭାସିଯାଇ ୩ ଜଣ ନିଖୋଜ ଘଟଣାରେ ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକମାନେ ହେଲେ ତ୍ରିଲୋଚନ ମହଲା ଓ ବାଦଲ ସାହୁ । ତ୍ରିଲୋଚନଙ୍କ ଘର ଚାଉଳିଆଗଞ୍ଜରେ ହୋଇଥିବାବେଳେ ବାଦଲଙ୍କ ଘର ଚୌଦ୍ଵାର ଅଂଚଳରେ ବୋଲି ଜଣାଯାଇଛି । ତେବେ ନିଖୋଜ ଥିବା ନିଲୁ ସାହୁଙ୍କ ବାବଦରେ ଅଦ୍ୟାବଧି କୌଣସି ସୂଚନା ମିଳିନାହିଁ ।
ଚୌଦ୍ଵାରରେ ଲକ୍ଷ୍ମୀପୂଜା ଭସାଣୀ ଦେଖିବା ପାଇଁ ନିଲୁ ତାଙ୍କ ସାଙ୍ଗ ତ୍ରିଲୋଚନଙ୍କୁ ନେଇ ମାଉସୀ ଘରକୁ ଯାଇଥିଲେ । ଗତକାଲି ରାତିରେ ଲକ୍ଷ୍ମୀପୂଜା ଭସାଣ ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ନିଲୁ, ତ୍ରିଲୋଚନ, ମାଉସୀ ପୁଅ ବାଦଲ ଓ ତାଙ୍କ ସାଙ୍ଗ ବସିଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରୁ ଜଣେ କେନାଲ ଭିତରକୁ ଖସି ପଡ଼ିଥିଲେ । ତାଙ୍କୁ ପାଣିରୁ ଉଦ୍ଧାର କରିବାକୁ ଯାଇ ସମସ୍ତେ କେନାଲକୁ ଡେଇଁ ପଡ଼ିଥିଲେ । ପରେ ସମସ୍ତେ କେନାଲରେ ବୁଡ଼ି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ବାଦଲଙ୍କ ସାଙ୍ଗକୁ ଉଦ୍ଧାର କରିଥିଲେ । ହେଲେ ଘଟଣା ପରଠାରୁ ନିଲୁ, ତ୍ରିଲୋଚନ ଓ ବାଦଲ ନିଖୋଜ ଥିଲେ । ଖବର ପାଇ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଗତକାଲି ରାତିଠୁ ଖୋଜାଖୋଜି କରିବା ପରେ ଆଜି ସକାଳେ ତ୍ରିଲୋଚନ ଓ ବାଦଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ହେଲେ ନିଲୁ ଏବେ ବି ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେନାଲ ପାଣି ଚାଲୁଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଉପୁଜୁଛି । ଏଣୁ ଉପରମୁଣ୍ଡରୁ ଗେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।