ଢ଼େଙ୍କାନାଳ, ଆଇନଜିବୀ ଶଶଧର ମହାନ୍ତିଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାର୧୫ ଦିନ ବିତି ସାରିଥିଲେ ସୁଦ୍ଧା ଅଦ୍ୟାବଧି ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିନାହିଁ । ଗୋଟିଏ ପଟେ ଓକିଲ ଜଣକ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଅନ୍ୟପଟେ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ସକାଳ ୬ଟା ଠାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଂଟିଆ କାମାକ୍ଷାନଗର ବନ୍ଦ ପାଳନ କରାଯାଇଛି । ଫଳରେ ସକାଳୁ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବା ସହ ଦୋକାନ ବଜାର, ସ୍କୁଲ, କଲେଜ, ବ୍ୟାଙ୍କ ସମେତ ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଛି ।
ଗତ ମାସ ୨୮ ତାରିଖରେ ଓକିଲ ସଂଘର ସଦସ୍ୟ ଶଶଧର ମହାନ୍ତିଙ୍କୁ ଏକ ରେଷ୍ଟୁରାଂଟରେ କିଛି ଅସାମାଜିକ ଯୁବକ ମରଣାତ୍ମକ ଆକ୍ରମଣ କରିଥିଲେ । ଆକ୍ରମଣରେ ଓକିଲ ଶ୍ରୀ ମହାନ୍ତି ଗୁରୁତର ହୋଇ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ଇତିମଧ୍ୟରେ ଘଟଣାକୁ ୧୫ ଦିନ ବିତି ଯାଇଥିଲେ ସୁଦ୍ଧା କାମାକ୍ଷାନଗର ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ତତ୍ପରତା ପ୍ରକାଶ କରୁନି । ଯାହାର ପ୍ରତିବାଦରେ ଓକିଲ ସଂଘର ସଦସ୍ୟମାନେ ଆଜି ୧୨ ଘଂଟଆ କାମାକ୍ଷାନଗର ବନ୍ଦ କରିଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ଓକିଲ ସଂଘ ।