-
ସାଧାରଣ ଲୋକଙ୍କ ଜୀବନରେ ମୂଳଭୂତ୍ ପରିବର୍ତ୍ତନ ଆଣିବା ହିଁ ସୁଶାସନ – ଧର୍ମେନ୍ଦ୍ର ପ୍ରଧାନ
ଗାନ୍ଧିନଗର,ଦେଶର ସାଧାରଣ ଲୋକଙ୍କ ଜୀବନରେ ମୂଳଭୂତ୍ ପରିବର୍ତ୍ତନ ଆଣିବା ହିଁ ସୁଶାସନ । ଯେଉଁ କଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାମରେ କରି ଦେଖାଉଛନ୍ତି ବୋଲି ବୁଧବାର ଗୁଜୁରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ‘ସୁଶାସନ’ ଉପରେ ସାକ୍ଷାତ୍ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମୋଦି ସରକାରରେ ଦେଶରେ ‘ମିନିମମ୍ ଗଭର୍ଣ୍ଣମେଣ୍ଟ, ମ୍ୟାକ୍ସିମମ୍ ଗଭର୍ଣ୍ଣାସ’କୁ ଗୁରୁତ୍ୱ ଦିଆଯାଉଛି । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ସ୍ୱାଧୀନତା ଦିବସରେ ଦେଶର ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ଏବଂ ମହିଳା ମାନଙ୍କ ପାଇଁ ଘରେ ଘରେ ଶୌଚାଳୟ ନିର୍ମାଣ କରିବା ଘୋଷଣା କଲେ । ମହିଳାଙ୍କ ସମେତ ସବୁ ଲୋକଙ୍କ ପାଇଁ ବ୍ୟାଙ୍କ୍ ଖାତା ଖୋଲାଯିବା ନେଇ ଘୋଷଣା କଲେ । ପରେ ମହିଳା ମାନଙ୍କୁ କାଠଚୂଲା ଧୂଆଁରୁ ମୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଘୋଷଣା କରିଥିଲେ । ଏହି ସବୁ ଜନକଲ୍ୟାଣକାରୀ ପଦକ୍ଷେପ ମହିଳାଙ୍କ ସ୍ୱାସ୍ଥ୍ୟ ରକ୍ଷା କରିବା ସହ ସେମାନଙ୍କୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେଇଛି ।
ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ ଦ୍ୱାରା ମହିଳାମାନଙ୍କୁ ସମ୍ମାନ ମିଳିଛି । ପୂର୍ବରୁ ଦେଶରେ କାଠଚୂଲାରେ ରୋଷେଇ କରିବା କାରଣରୁ ଦେଶରେ ବାର୍ଷିକ ୫ ଲକ୍ଷ ମହିଳାଙ୍କ ମୃତ୍ୟୁ ହେଉଥିଲା । ମାତ୍ର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ପ୍ରାୟ ୯ କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ଗ୍ୟାସ ପହଞ୍ଚାଯାଇ ସେମାନଙ୍କୁ ଧୂଆଁରୁ ମୁକ୍ତି ଦିଆଯାଇଛି । ଜନଧନ ଯୋଜନାରେ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପହଞ୍ଚିଛି । ଏହା ହିଁ ସୁଶାସନ । ମୋଦି ସରକାର ମହିଳା ସଶକ୍ତିକରଣର ନୂଆ ପରିଭାଷା ବଦଳାଇଛନ୍ତି । ସେହିପରି ଗୋଟିଏ ସମୟରେ ଗରିବ ଶ୍ରେଣୀର ଲୋକମାନେ ବ୍ୟାଙ୍କକୁ ଯାଇପାରୁନଥିଲେ ମାତ୍ର ମୋଦି ସରକାରରେ ବ୍ୟାଙ୍କ୍ ଘରେ ପହଞ୍ଚିଛି । ମୋଦି ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀଙ୍କୁ ସିଧାସଳଖ ଟଙ୍କା ପଠାଯିବାର ଗୁରୁତ୍ୱ ବିଶେଷ ଭାବରେ କରୋନା ମହାମାରୀ ସମୟରେ ଜଣାପଡ଼ିଥିଲା । ଏହାବ୍ୟତିତ କରୋନା ସମୟରେ ପିପିଇ କିଟର ଉତ୍ପାଦନ ଭାରତକୁ ବିଶ୍ୱରେ ନୂଆ ପରିଚୟ ଦେଇଥିଲା । ମୋଦି ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।
ଏହା ଆଲୋଚନାରେ ଅଂଶଗ୍ରହଣ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ବୈଠକରେ ବିଶ୍ୱବିଦ୍ୟାଳୟର ସାମ୍ପ୍ରତିକ ସ୍ଥିତି, ଅବସ୍ଥିତି ଓ ଆଗାମୀ ଦିନରେ ଦୃଶ୍ୟପଟ୍ଟରେ ବିଶ୍ୱବିଦ୍ୟାଳୟର ଭୂମିକା ଉପରେ ସମୀକ୍ଷା ହୋଇଥିଲା ।