ଧର୍ମଶାଳା -ଗତକାଲି ବିଳମ୍ବିତ ରାତିରେ ୬ ଜଣ ଡକାୟତ ଚଣ୍ଡିଖୋଲ ନିକଟରେ କୌଣସି ଏକ ସ୍ଥାନରେ ଏକ ବଡ ଅପରାଧ କରିବାକୁ ଯୋଜନା କରୁଥିବା ବେଳେ ଯାଜପୁର ରୋଡ ଏସଡିପିଓ ଚିନ୍ମୟ କୁମାର ମହାନ୍ତି କୌଣସି ସୂତ୍ରରୁ ଖବରପାଇ ବଡଚଣା ପୁଲିସ ସହାୟତାରେ ଘଟଣାସ୍ଥଳରେ ପହଂଚି ସେଠାରେ ଥିବା ୬ ଜଣ ଯୁବକଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ସହିତ ବିଭିନ୍ନ ସାମଗ୍ରୀ ଜବତ କରିଥିବା ପୁଲିସ ଆଜି ବଡଚଣା ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ବଡଚଣା ଥାନା ଅଧିନସ୍ଥ ଚଣ୍ଡିଖୋଲ ନିକଟସ୍ଥ ଏକ ସ୍ଥାନରେ ପୂର୍ବ ପ୍ରସ୍ତୁତି ଅନୁସାରେ ୬ ଜଣ ଅପରାଧି କୌଣସି ଏକ ସ୍ଥାନରୁ ଏକ ବଡ ଧରଣର ଡକାୟତି କରିବାକୁ ଯୋଜନା କରୁଥିଲେ । ଏହି ସମୟରେ କୌଣସି ସୂତ୍ରରୁ ଖବରପାଇ ଯାଜପୁର ଏସଡିପିଓ ଶ୍ରୀ ମହାନ୍ତି ବଡଚଣା ପୁଲିସକୁ ଖବରଦେଇଥିଲେ ଏବଂ ଯାଜପୁରରୁ ନିଜେ ଆସି ସମସ୍ତେ ଏକତ୍ରିତ ହୋଇ ଘଟଣାସ୍ଥଳରେ ପହଂଚିଥିଲେ । ପୁଲିସ ପ୍ରଶାସନର ଉପସ୍ଥିତି ଫଳରେ ଡକାୟତମାନେ କରୁଥିବା ଯୋଜନା ଫସରଫାଟିଯାଇଥିଲା । ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ସମୟରେ ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୭ଟି ହାତ ବୋମା, ଗୋଟିଏ ଭୁଜାଲି ଏବଂ ଗୋଟିଏ ଖଣ୍ଡା ସହିତ ୩ଟି ବାଇକ ଜବତ କରିଥିଲେ । ଏହି ଘଟଣାକୁ ନେଇ ବଡଚଣା ପୁଲିସ ଏକ ମୋକଦମା ନଂ.୨୪୫/୨୦୧୯ ଦାୟର କରି ସମସ୍ତ ଡକାୟତଙ୍କୁ ପଚରାଉଚରା କରିଥିଲା । ପୁଲିସ ତଦନ୍ତ ଅନୁସାରେ ଗିରଫ ଅଭିଯୁକ୍ତମାନେ ଯାଜପୁର ସହିତ ବିଭିନ୍ନ ଥାନାରେ ବହୁ ମାମଲା ରହିଛି ଜାଣିବାକୁ ପାଇଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ନିହଲପ୍ରସାଦ ଥାନାର ନବଘନ ସାହୁଙ୍କ ପୁଅ ସ୍ୱରୂପ ସାହୁ, ଯାଜପୁର ଥାନାର ଗୋବଣ୍ଡିଆ ଗାଁର କମ୍ବୁଚରଣ ନାୟକଙ୍କ ପୁଅ ସୁବୋଧ ନାୟକ, ସଦରଥାନା ଅଧିନସ୍ଥ ସାନବାଙ୍କସାହି ଗାଁର ରଘୁନାଥ ପଣ୍ଡାଙ୍କ ପୁଅ କେଦାରନାଥ ପଣ୍ଡା, ବଡଚଣା ଥାନା ନିସିମଳା ଗାଁର ସରୋଜ କୁମାର ଜେନାଙ୍କ ପୁଅ ଦିବ୍ୟରଞ୍ଜନ ଜେନା, ବଡଚଣା ଥାନା ନୂଆସୁଙ୍ଗୁଡା ଗାଁର ବିଷ୍ଟୁଚରଣ ମହାଲାଙ୍କ ପୁଅ ରସ୍ମିରଞ୍ଜନ ମହାଲା, ମାହାଙ୍ଗା ଥାନା ଅଧିନସ୍ଥ ମୂଳବସନ୍ତ ଗାଁର ଦେବେନ୍ଦ୍ର ସିଂହଙ୍କ ପୁଅ ବିକ୍ରମ ସିଂହ ବୋଲି ସୂଚନା ଦେଇଛି । ଏହି ଅଭିଯୁକ୍ତମାନେ ନିକଟସ୍ଥ ବଡଚଣା ଥାନା ଅଂଚଳରେ ଏକ ବଡ ଡକାୟତି କରିବାକୁ ଯୋଜନା କରୁଥିଲେ । ତେବେ ସେମାନଙ୍କ ଯୋଜନା ପଣ୍ଡହେବା ସହିତ ଗିରଫ ହୋଇଥିଲେ ।
Related Stories
November 23, 2024