ସୁବର୍ଣ୍ଣପୁର, ଗତକାଲି ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀଙ୍କ ମନ୍ଦିର ପରିସରରେ ମା ସୁରେଶ୍ଵରୀ ଘେନ ଜୁହାର କୋଶଲି ଭଜନ ସଂଗୀତର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ପୂଜକ କାଳୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ମା ଙ୍କ ମଙ୍ଗଳ ଆଳତୀ କରାଯାଇ ଆଜ୍ଞାମାଳ ପହଞ୍ଚି ଥିଲା। ଏହି ଉତ୍ସବର ମୁଖ୍ୟ ଅତିଥି ତଥା ମା ଙ୍କ ପରମ ଭକ୍ତ ଜଷ୍ଟିସ ଚିତ୍ତ ରଞ୍ଜନ ଦାଶ ଏହି ଭଜନ ସଂଗୀତକୁ ଲୋକାର୍ପଣ କରି ଆମ ସଂସ୍କୃତି ଆମ ସଂସ୍କାର ଏଇ ଆମ ସୋନପୁରର ପରିଚୟ ବୋଲି ମତ ରଖି ଏହି ମାଟି ଓ ମନ୍ଦିର ମାଳିନୀ ସହରର ସୌନ୍ଦର୍ଯ୍ୟ ଓ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବାକୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଏବଂ ଉଦ୍ୟୋକ୍ତା, ଲେଖକ ସୁଦାମ ନାଏକ, ପଠାନ କଲ୍ୟାଣୀ ପଣ୍ଡା ଏବଂ ଟି. ସୌରୀ ଟିମ, ମ୍ୟୁଜିକ ଡାଇରେକ୍ଟର ବ୍ରହ୍ମା କୁମାରଙ୍କୁ ଭୁୟସୀ ପ୍ରଶଂସା କରିଥିଲେ।
ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଏସପି ଅମରେଶ ପଣ୍ଡା, ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ, କୃଷକ ନେତା ବୈକୁଣ୍ଠ ଶତପଥୀ, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶଚନ୍ଦ୍ର ସାହୁ, ଯୋଗଦେଇ ଯନ୍ତ୍ର ମନ୍ତ୍ର ତନ୍ତ୍ର ପୀଠ ସୁବର୍ଣ୍ଣପୁରର ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ମା ଅଷ୍ଟଚଣ୍ଡୀଙ୍କ ଉପରେ ଆଧାରିତ ମା ସୁରେଶ୍ଵରୀଙ୍କ ଏହି ଆକର୍ଷଣୀୟ କୋଶଲି ଭଜନଟି ମା ଙ୍କ ଅଗଣିତ ଶ୍ରଦ୍ଧାଳୁଙ୍କ ହୃଦୟକୁ ଛୁଇଁ ପାରିବ ବୋଲି ମତ ରଖିଥିଲେ l
ସଭାରେ ସହରର ସମସ୍ତ ମିଡ଼ିଆ ଓ ବୁଦ୍ଧିଜୀବୀ ଯୋଗ ଦେଇଥିବା ବେଳେ ଆସନ୍ତା ଦୀପାବଳୀ ବେଳେ ମା ର ଗୁନ ଗାଥା ଫିଲିମ ସୁଟିଙ୍ଗ ଆରମ୍ଭ ହେବ ବୋଲି ସୂଚନା ମିଳିଛି।