
ଭୁବନେଶ୍ୱର,ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ବୁଧବାର ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ବାବା ହରେକୃଷ୍ଣ ସେଠୀଙ୍କ ନାମକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଅନୁମୋଦନ କରିଛନ୍ତି । ଏନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ସାଧାରଣ ସଂପାଦକ ମୁକୁଲ ୱାସନିକ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।
ବାବା ହରେକୃଷ୍ଣ ଆସନ୍ତାକାଲି (ଗୁରୁବାର) ଏକ ଶୋଭାଯାତ୍ରାରେ ଆସି ଭଦ୍ରକ ବ୍ଲକ ପରିସରରେ ପ୍ରାର୍ଥୀପତ୍ର ଦାଖଲ କରିବେ ।
ବାବା ହରୋକୃଷ୍ଣ ସେଠୀ ଜଣେ ଯୁବ ଆଇନଜୀବୀ ଭାବେ ଧାମନଗର କୋର୍ଟରେ କାର୍ଯ୍ୟରତ ଅଛନ୍ତି । ସେ କଂଗ୍ରେସର ଜଣେ ତୃଣମୂଳ ସ୍ତରର ସଂଗଠକ । ସେ ଧାମନଗର ବ୍ଲକର ରାଜୀବ ଗାନ୍ଧି ସେବା ସଂଗଠନର ସଭାପତି, ଦଳିତ ସଂଗଠନର ନେତା ଭାବେ ବିଭିନ୍ନ ସାଂଗଠନିକ କାର୍ଯ୍ୟ ସୂଚାରୁ ରୂପେ କାର୍ଯ୍ୟ କରିଆସୁଛନ୍ତି । ଜିଲ୍ଲାରେ ଜଣେ ଦଳିତ ନେତା ଭାବରେ ଜଣାଶୁଣା ।
ଉଲ୍ଲେଖଯୋଗ୍ୟ ଯେ, ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗରରେ ଉପନିର୍ବାଚନ ହେବାକୁ ଯାଉଛି । ଆସନ୍ତା ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ମତଦାନ ହେବ । ଏଥି ପାଇଁ ବିଜେପି ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କୁ ନିଜର ପ୍ରାର୍ଥୀ କରିଛି । ତେବେ ବିଜେଡି ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ ।