
ଭୁବନେଶ୍ୱର, ଭାରତବର୍ଷର ସମ୍ପୂର୍ଣ୍ଣ କ୍ରାନ୍ତିର ମହାନାୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସମାଜବାଦ ଆନ୍ଦୋଳନର ପ୍ରବକ୍ତା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୦ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ମଙ୍ଗୂବରୀ ପୂର୍ବାହ୍ନରେ ଭୁବନେଶ୍ୱର ରେଳଷ୍ଟେସନ୍ ସମ୍ମୁଖସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭାବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ କାମଦେବ ମହାପାତ୍ର ଲୋକନାୟକଙ୍କ ବନ୍ଦନା କରିଥିବା ବେଳେ ପୂର୍ବତନ ବିଧାୟକ ତଥା ଗାନ୍ଧୀବାଦୀ ପଦ୍ମଚରଣ ନାୟକ, ବିଜେଡ଼ି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି, ସତ୍ୟବ୍ରତ ଜେନା, ଉଇ ଫର ଭୁବନେଶ୍ୱର ସଭ୍ୟବୃନ୍ଦ, ଗିରିଜା ମହାପାତ୍ର, ସମାଜବାଦୀ ପାର୍ଟି ତରଫରୁ ରବି ବେହେରା, ଜୟପ୍ରକାଶ ଫାଉଣ୍ଡେସନ୍ ପକ୍ଷରୁ ପଞ୍ଚାନନ ସେନାପତି ପ୍ରମୁଖ ଯୋଗଦେଇ ମାଲ୍ୟାର୍ପଣ କରିବା ସହ ଦୀପଦାନ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ପରାଧୀନ ଭାରତବର୍ଷକୁ ସ୍ୱାଧୀନ କରିବା ପାଇଁ ବିଦେଶରେ ଉଚ୍ଚଶିକ୍ଷାପ୍ରାପ୍ତ ଜୟପ୍ରକାଶ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସସ୍ତ୍ରୀକ କଂଗ୍ରେସରେ ଯୋଗ ଦେଇ ଆନ୍ଦୋଳନରେ ସାମିଲ୍ ହୋଇ ବହୁବାର କାରାବରଣ କରିଥିଲେ । ନିଜେ କ୍ଷମତା ରାଜନୀତି ଠାରୁ ଦୂରରେ ରହି ଯୁବ, ଛାତ୍ରମାନଙ୍କୁ ସଂଗଠିତ କରି ସମ୍ପୂର୍ଣ୍ଣ କ୍ରାନ୍ତି ନିମନ୍ତେ ସାମଗ୍ରୀକ ଜୀବନ କାର୍ଯ୍ୟ କରିଥିଲେ । ତାଙ୍କ ଜୀବନାଦର୍ଶ ଯୁଗେ ଯୁଗେ ଭାରତବର୍ଷର ଯୁବ ଓ ଛାତ୍ର ସମାଜକୁ ମାର୍ଗଦର୍ଶନ କରିବା ସହ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁଦୃଢୀକରଣ ପାଇଁ ଆଲୋକବର୍ତ୍ତିକା ହେବ ବୋଲି ମତ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଆଜି ବିଶିଷ୍ଟ କବି ଡକ୍ଟର ମାୟାଧର ମାନସିଂହଙ୍କ ତିରୋଧାନ ଦିବସ, ଭାରତ ବର୍ଷର ସର୍ବକନିଷ୍ଠ ସଂଗ୍ରାମୀ ଓ ଶହୀଦ ବାଜି ରାଉତଙ୍କ ବଳିଦାନ ଦିବସ ଓ ଗତକାଲି ପରଲୋକ ଗମନ କରିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଉତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ, ସମାଜବାଦୀ ଆନ୍ଦୋଳନର ପ୍ରବକ୍ତା ମୁଲାୟମସିଂହ ଯାଦବଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।