
ଭୁବନେଶ୍ୱର, ଜୟ ପ୍ରକାଶ ଫାଉଣ୍ଡେସନ, ଲୋହିଆ ଏକାଡ଼େମୀ, ଲୋକନାୟକ ଜୟପ୍ର୍ରକାଶ ଅନ୍ତରାଷ୍ଟ୍ରୀୟ ଅଧ୍ୟୟନ ଓ ବିକାଶ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀଠାରେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ୧୨୦ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଏଥିରେ ଆଲୋଚକ ଭାବେ ପ୍ରଫେସର ବୀରେନ୍ଦ୍ର ନାୟକ ଓ ପ୍ରଫେସର ଅମୀୟ ମହାନ୍ତି ଯୋଗଦେଇ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ଜୟ ପ୍ରକାଶଙ୍କ ଦ୍ୱାରା ଡ଼ାକରା ଦିଆଯାଇଥିବା ସମ୍ପୂର୍ଣ୍ଣ କ୍ରାନ୍ତିର ଆବଶ୍ୟକତା ଅଛି ବୋଲି ମତ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ହିନ୍ଦ୍ ମଜଦୁର ସଭାର ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ବିଶିଷ୍ଟ ଗାନ୍ଧିବାଦୀ ନେତା ପ୍ରହଲ୍ଲାଦ ସିଂହ, ବିଶିଷ୍ଟ ସମାଜବାଦୀ ନେତା ଆଡ଼ଭୋକେଟ ଶିଶିର ଦାସ, ପ୍ରଫେସର ସ୍ୱାଧୀନ ପଟ୍ଟନାୟକ, ପୂର୍ବତନ ବିଧାୟକ ରାଧାକାନ୍ତ ସେଠି ଏବଂ ପୂର୍ବତନ ବିଧାୟକ କିଶୋର ଦାସଙ୍କ ସମେତ ଅନେକ ବୁଦ୍ଧିଜୀବୀ ଓ ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ଯୋଗଦେଇ ଲୋକନାୟକ ଜୟପ୍ରକାଶଙ୍କ ବ୍ୟକ୍ତିତ୍ୱ ଓ ସମାଜ ଗଠନରେ ତାଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ ।
ଏହି ସଭାରେ ସଭାପତିତ୍ୱ କରିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଜୟପ୍ରକାଶ ଫାଉଣ୍ଡେସନର ସାଧାରଣ ସମ୍ପାଦକ ପଂଚାନନ ସେନାପତି ପ୍ରାରମ୍ଭିକ ଅଭିଭାଷଣ ରଖି ସଭାରେ ଆଜିର ଦିନର ଆବଶ୍ୟକତା ବିଷୟରେ ଆଲୋକପାତ କରିଥିଲେ । ଜୟପ୍ରକାଶ ଫାଉଣ୍ଡେସନର କାର୍ଯ୍ୟକାରୀ ସଭାପତି ପ୍ରଭାସ ସାମନ୍ତରାୟ ସଭା ପରିଚାଳନା କରିଥିଲେ । ଲୋହିଆ ଏକାଡ଼େମୀର ସମ୍ପାଦକ ଦେବ ପ୍ରସାଦ ରାୟ ଏବଂ ଜୟ ପ୍ରକାଶ ଫାଉଣ୍ଡେସନର ସଭାପତି ଲକ୍ଷ୍ମୀପ୍ରିୟା ମହାନ୍ତିଙ୍କ ସହିତ ଅନ୍ୟାନ୍ୟ ବକ୍ତାମାନେ ତାଙ୍କର ବକ୍ତବ୍ୟ ରଖିଥିଲେ ।