
ଭଦ୍ରକ/ଭୁବନେଶ୍ୱର, ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ସୂରଜ ସୂର୍ଯ୍ୟବଂଶୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ ଭଦ୍ରକର ମା ଦକ୍ଷିଣକାଳୀ ମନ୍ଦିରରେ ପୂଜାର୍ଚ୍ଚନା କରି ଏକ ନିରାଡ଼ମ୍ବର ଶୋଭାଯାତ୍ରାରେ ଭଦ୍ରକ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ସହ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିଧାୟକ ମୋହନ ମାଝି, ଜିଲ୍ଲା ପ୍ରଭାରୀ କାଳନ୍ଦୀ ସାମଲ, ଜିଲ୍ଲା ସଭାପତି ହେମନ୍ତ ପାଢ଼ୀଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।
ସୂର୍ଯ୍ୟବଂଶୀ ସୁରଜ ଆଜି ସକାଳେ ନିଜ ପୈତୃକ ଗ୍ରାମ ମଙ୍ଗରାଜପୁରରେ ଥିବା ତାଙ୍କ ପିତା ତଥା ଦିବଙ୍ଗତ ବିଷ୍ଣୁ ଚରଣ ସେଠୀଙ୍କ ସମାଧିସ୍ଥଳୀକୁ ଯାଇ ଆଶୀର୍ବାଦ ନେବା ପରେ ମା’ଙ୍କଠାରୁ ଆଶୀର୍ବାଦ ନେଇ ହଜାର ହଜାର ଲୋକଙ୍କ ଗହଣରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି , ବହୁ ପ୍ରମୁଖ ନେତାଙ୍କ ସମେତ ଧାମନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨ଟି ବ୍ଲକ, ୪୪ଟି ପଂଚାୟତ ଏବଂ ଧାମନଗର ଏନଏସିର ୧୧ଟି ୱାର୍ଡରୁ ୫ ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତା ଓ ସାଧାରଣ ଜନତା ସ୍ୱତଃପ୍ରଭୁତ ଭାବେ ସାମିଲ ହୋଇଥିଲେ ।
ଦଳୀୟ ପ୍ରାର୍ଥୀ ସୁରଜ୍ଙ୍କ ନାମାଙ୍କନ ପତ୍ର ଦାଖଲ କରିବା ଅବସରରେ ଯୋଗଦେଇ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଦୀର୍ଘ ୩୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏ ଅଂଚଳର ଜନସାଧାରଣଙ୍କର ସେବା କରିଛନ୍ତି ସ୍ୱର୍ଗତଃ ବିଷ୍ଣୁ ଭାଇ । ତାଙ୍କ ଅକାଳ ବିୟୋଗ କାରଣରୁ ଏଭଳି ଏକ ଦୁଃଖଦ ସମୟରେ ଉପନିର୍ବାଚନ ହେଉଛି ଓ ବିଜେପିର ସମସ୍ତ କାର୍ଯ୍ୟକର୍ତାମାନେ ନିଜ ନିଜ ମନକୁ ସୁଦୃଢ଼ କରି ନିର୍ବାଚନ ଲଢ଼ିବାର ସାହସ ଯୋଗାଇଛନ୍ତି । ବିଷ୍ଣୁ ଭାଇଙ୍କ ଆବର୍ତମାନରେ ତାଙ୍କ ସୁପୁତ୍ର ତଥା ଦଳୀୟ ପ୍ରାର୍ଥୀ ସୁରଜ୍ ପ୍ରତି ଥିବା ଧାନଗରବାସୀଙ୍କ ଆଜିର ବିପୁଳ ସମର୍ଥନ ଓ ସହାନୁଭୂତି ହିଁ ବିଷ୍ଣୁ ଭାଇଙ୍କ ଲୋକପ୍ରିୟତାକୁ ସ୍ପଷ୍ଟ କରିଛି । ବିଷ୍ଣୁ ଭାଇ ଛାଡିଯାଇଥିବା ବିରାଟ ପରିବାରର ସେବା କରିବା ପାଇଁ ସୁରଜ୍ ସଂପୂର୍ଣ୍ଣ ଯୋଗ୍ୟ ଓ ପ୍ରସ୍ତୁତ । ଜଣେ ଉଚ୍ଚଶିକ୍ଷିତ, ଯୋଗ୍ୟ, ଦକ୍ଷ ଓ ଯୁବକ ସୁରଜ୍ଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଧାମନଗର ନିର୍ବାଚନମଣ୍ଡଳୀର ସଚେତନ ଭୋଟର ଭାଇ ଓ ଭଉଣୀମାନେ ଏଭଳି ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ତାଙ୍କ ବିଜୟକୁ ସୁନିଶ୍ଚିତ କରାଇବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।