ପୁରୀ, ପ୍ରତିଟି ପିଲା ମଧ୍ୟରେ ପ୍ରତିଭା ରହିଛି। ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନି ବିକଶିତ କରାଯାଇ ପାରିଲେ ତାହା ରାଜ୍ୟ ଓ ଦେଶ ପାଇଁ ସମ୍ବଳ ହୋଇପାରିବ। ଏଥିରେ ପୁଅ ଓ ଝିଅ ମଧ୍ୟରେ କୌଣସି ପ୍ରଭେଦ ଅନୁଚିତ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ। ମଙ୍ଗଳବାର ପୂର୍ବାହ୍ନରେ ପୁରୀ ମହିଳା ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓ ଏହାକୁ ଉଦଘାଟନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ପୁରାଣ ଓ ଇତିହାସର ଉଦାହରଣ ଦେଇ ନାରୀର ବିକଳ୍ପ ନାହିଁ ବୋଲି କହିଥିଲେ। ସାମ୍ପ୍ରତିକ ସମୟରେ ଶିଶୁ କନ୍ୟା ମାନଙ୍କ ପ୍ରତି ଅବହେଳା ଓ ନିର୍ଯ୍ୟାତନା ଦୁଖଦାୟକ। ଏହାକୁ ପ୍ରତିହତ କରିବାକୁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରତିଟି କନ୍ୟା ଜଣେ ଜଣେ ଦେବକନ୍ୟା। ନିଜର ଲୁକ୍କାୟିତ ଶକ୍ତି ଓ ପ୍ରତିଭାକୁ ପ୍ରତିପାଦିତ କରି ନିଜର ଶ୍ରେଷ୍ଠ ପ୍ରଦର୍ଶନ ମାଧ୍ୟମରେ ନିଜ ପରିଚୟ ସୃଷ୍ଟି କରିବାକୁ ସେ ଆହ୍ବାନ ଦେଇଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଜିଲ୍ଲାରେ ଶିଶୁ ମାନଙ୍କ ସ୍ଥିତି, ସେମାନଙ୍କ ଭବିଷ୍ୟତ, ସୁରକ୍ଷା ପାଇଁ ପଦକ୍ଷେପ, ଟାସ୍କଫୋର୍ସ ଗଠନ ଇତ୍ୟାଦି ସମ୍ପର୍କରେ ବିଷଦ ସୂଚନା ପ୍ରଦାନ କରିଥିଲେ। ପୁରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ବିଶ୍ଵନାଥ ଦାସ, ନେହେରୁ ଯୁବକେନ୍ଦ୍ରର ଜିଲ୍ଲା ସଂଯୋଜକ ଜୟ ଶଙ୍କର ଜୋଶୀ, ସ୍ଵେଛାସେବୀ ସଂଗଠନ ସମ୍ପର୍କର ସମ୍ପାଦକ ସୌମେନ୍ଦ୍ର ଦାସ, ଯୁଗ୍ମ ସମ୍ପାଦକ ରୋଜାଲିନ ମିଶ୍ର ପ୍ରମୁଖ ଶିଶୁ କନ୍ୟା ମାନଙ୍କ ସାମାଜିକ ସ୍ଥିତି, ଆବଶ୍ୟକତା, ଭବିଷ୍ୟତ ଓ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।
Related Stories
November 24, 2024
November 24, 2024