
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
କୁମାର ପୂର୍ଣ୍ଣମୀର ଶାରଦୀୟ ସନ୍ଧ୍ୟାରେ ପୁରୀର ୪୩ତମ କୁମାର ଉତ୍ସବ-୨୨ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମିରେ ରବିବାର ଉଦଘାଟିତ ହୋଇଯାଇଛି । ଏହି ଉତ୍ସବରେ କ୍ରୀଡ଼ା ଓ ଯୁବସେବା, ପ୍ରଯୁକ୍ତି ଓ ସୂଚନା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ହାଇଟେକ ଗ୍ରୁଫ ର ପରିଚାଳନା ନିର୍ଦ୍ଦେଶକ ତିରୁପତି ପାଣିଗ୍ରାହୀ, ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ଭକ୍ତଚରଣ ଦାସ, କାର୍ଯ୍ୟକାରୀ ସଭାପତି ସନ୍ତୋଷ ଶତପଥୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ଅନୁଷ୍ଠାନର ସଭାପତି ମହେଶ୍ୱର ମହାନ୍ତି ସଭାପତିତ୍ୱ କରିଥିବା ବେଳେ ସଂପାଦକ ସଦାଶିବ ନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ ।ଏହା ପରେ ଅନୁଷ୍ଠାନ ପକ୍ଷରୁ ପୂର୍ବରୁ ଆୟୋଜିତ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେଥିରେ ଲିଟିଲ ମିସ୍ ଭାବରେ ସାନ୍ଭି କର ଏବଂ ଲିଟିଲ ମାଷ୍ଟର ହର୍ଷିତ ମିଶ୍ର ଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ସହ ଅନୁଷ୍ଠାନର କୁନି କୁନି କଳାକାରମାନଙ୍କୁ ନେଇ “ପୁନେଇ ଜହ୍ନ” ପରିବେଷଣ କରାଯାଇଥିଲା ଏବଂ ନାଟକ “କାଞ୍ଚି ଅଭିଯାନ” ମଞ୍ଚସ୍ଥ ହୋଇଥିଲା । ଶେଷରେ ଓଲିଉଡ ଗାୟକ ଶଶାଙ୍କ ଶେଖର ଓ ତାଙ୍କର ଗ୍ରୁପଙ୍କର ସଂଗୀତ ପରିବେଷଣରେ ସ୍ୱର୍ଣ୍ଣାଭ ବାଲୁକାରାଶିରେ ମନ୍ତ୍ରମୁଗ୍ଧ ଦର୍ଶକମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସଙ୍ଗୀତ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମନୋଜ ରଥ, ଜିତେନ୍ଦ୍ର ମହାପାତ୍ର, ବିଜୟ କୃଷ୍ଣ ବ୍ରହ୍ମା ପ୍ରମୁଖ ଉପସ୍ଥିତ ଥିଲେ |ପରିଶେଷରେ ଅନୁଷ୍ଠାନର ବରିଷ୍ଠ ଉପଦେଷ୍ଟା ଭକ୍ତ ଚରଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଅନୁଷ୍ଠାନର ସମସ୍ତ ସଭ୍ୟସଭ୍ୟାମାନେ ଉକ୍ତ କାର୍ଯ୍ୟକ୍ରମଗୁଡ଼ିକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।