କଟକ,ଓଆରଏଚଡିସି ଦୁର୍ନୀତି ମାମଲାରେ ମେଟ୍ରୋ ବିଲ୍ଡର୍ସ ପ୍ରାଇଭେଟ୍ ଲିମିଟେଡର ଏମଡି ତଥା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ମିଳିଛି ସାମାନ୍ୟ ଆଶ୍ଵସ୍ତି । ଭିଜିଲାନ୍ସ କୋର୍ଟଙ୍କ ଦ୍ଵାରା ହୋଇଥିବା ଦଣ୍ଡାଦେଶ ବିରୋଧରେ ମୋକିମ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ ତାଙ୍କ ଜାମିନ ମଞ୍ଜୁର ହୋଇଛି । ୧ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଏହାବ୍ୟତୀତ ତାଙ୍କ ଆବେଦନ ଗୃହୀତ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ ଏହା ଉପରେ ପରବର୍ତି ଶୁଣାଣି ହେବ ବୋଲି ଜଣାଯାଇଛି ।
ମୋକିମଙ୍କ ମେଟ୍ରୋ ବିଲ୍ଡର୍ସ ପ୍ରାଇଭେଟ୍ ଲିମିଟେଡ ଚଂଚକତା କରି ୧୫୦ ଲକ୍ଷର ଋଣ ମଞ୍ଜୁର କରି ନେଇଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗର ତଦନ୍ତ କରି ଭୁବନେଶ୍ଵର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ । ଏହି ଜେଲ୍ ଦଣ୍ଡାଦେଶ ଓ ଜରିମାନାକୁ ଚ୍ୟାଲେଞ୍ଜ କରି ମୋକିମ୍ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ହାଇକୋର୍ଟ ତାଙ୍କ ଆବେଦନକୁ ବିଚାର ପାଇଁ ଗ୍ରହଣ କରିବା ସହ ମୋକିମଙ୍କୁ ଜାମିନ ପ୍ରଦାନ କରିଛନ୍ତି । ମୋକିମଙ୍କ ଉପରେ ଲାଗୁ ହୋଇଥିବା ୫୦ ହଜାର ଟଙ୍କା ଜରିମାନା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ହାଇକୋର୍ଟ । ଏଥିସହ ଆସନ୍ତା ୧୩ ତାରିଖରେ ମାମଲାର ପରବର୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।